ଏକ୍ସପାଏରୀ ମେଡିସିନ ଖାଇ ଯକ୍ଷ୍ମାରୋଗୀ ମୃତ୍ୟୁ ଘଟଣା: ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ୨୦୧୭ ଡିସେମ୍ବର ୩୧ରେ ଏକ୍ସପାଏରୀ ମେଡିସିନ ଖାଇ ଯକ୍ଷ୍ମାରେ ଆକ୍ରାନ୍ତ କଟକ ରାଜାବଗିଚା ଅଞ୍ଚଳର ଗୁଡି ନାୟକ (୨୦)ଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ବିଚାର କରି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଗୁଡିଙ୍କ ପରିବାରକୁ ୩ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏଥିପାଇଁ ଦାୟୀ ଡାକ୍ତର, ଆଶା କର୍ମୀ ଓ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ମାସ ୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ରାଜାବଗିଚା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଝିଅ ଗୁଡି ଦୁଇବର୍ଷ ଧରି ଯକ୍ଷ୍ମାରେ ଆକ୍ରାନ୍ତ ଥିଲେ। ପରିବାର ଲୋକେ ଏ ସମ୍ପର୍କରେ ଜଣାଇବା ପରେ ଆଶାକର୍ମୀ କଟକ ସିଟି ମେଡିକାଲରୁ ଡାକ୍ତରଙ୍କଠାରୁ ମେଡିସିନ ଆଣି ତାଙ୍କୁ ଖାଇବାକୁ ଦେଇଥିଲେ। ସେ ଏହି ମେଡିସିନ୍‌ ଏକ ମାସ ଧରି ଖାଇବା ପରେ ୨୦୧୭ ଡିସେମ୍ବର ୩୦ରେ ଗୁରୁତର ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ଏହାର ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଉକ୍ତ ମେଡିସିନ ଏକ୍ସପାଏରୀ ହୋଇଯାଇଥିବା ଜଣାପଡିଥିଲା। ଏହି ଘଟଣାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଏପରି କି ମେଡିସିନ ଦେଇଥିବା ଆଶାକର୍ମୀ ଜଣକ ଗଣମାଧ୍ୟମରେ ମୁହଁ ଖୋଲିଥିଲେ। ଡାକ୍ତର ଉକ୍ତ ମେଡିସିନ ଦେଇଥିଲେ। ସେ ଇଂଲିଶ ପଢ଼ା ଜାଣି ନ ଥିବାରୁ ମେଡିସିନ ଏକ୍ସପାଏରୀ ହୋଇଥିବା ଜାଣିପାରି ନ ଥିଲେ ବୋଲି ଆଶାକର୍ମୀ ଜଣକ କହିଥିଲେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ରଞ୍ଜିତ ସୂତାର, ପ୍ରଦୀପ୍ତ ନାୟକ ଓ ଅଖଣ୍ଡ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ। କମିଶନ ଏହାକୁ ଗୁରୁତ୍ୱର ସହ ନେଇ ଏକ ସ୍ବତନ୍ତ୍ର ଟିମ୍‌କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ୍‌ ଦେଇଥିବା ରିପୋର୍ଟରେ ସିଟି ହସ୍ପିଟାଲର ଡାକ୍ତର ଓ ଆଶାକର୍ମୀଙ୍କ ସମେତ ଅନ୍ୟ କେତେଜଣଙ୍କୁ ଦାୟୀ କରାଯାଇଛି। ଶନିବାର ମାମଲାର ବିଚାର କରି ଓଏଚ୍‌ଆର୍‌ସି କ୍ଷତିପୂରଣ ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Share