Categories: ବାଣିଜ୍ୟ

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉଦ୍ୟୋଗ ଜଗତ ଚୁପ୍‌

ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଚୁପ୍‌ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସରିବା ପରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ଜାରି କରାଯାଇଥିଲା। ତଦନୁଯାୟୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଏଥିରେ ଦର୍ଶାଯାଇଛି। ତେବେ ନିର୍ବାଚନ ଫଳାଫଳ ଆସନ୍ତା ୨୩ରେ ପ୍ରକାଶ ପାଇବ। ଏ ସମ୍ପର୍କରେ ପ୍ରମୁଖ ଉଦ୍ୟୋଗ ଜଗତ ପ୍ରତିନିଧି ଫିକି, ଭାରତୀୟ ଉଦ୍ୟୋଗ ମହାସଂଘ(ସିଆଇଆଇ) ତଥା ଆସୋଚାମ୍‌ କୌଣସି ଟିପ୍ପଣୀ ଦେବାରୁ ଦୂରେଇ ରହିଛି। ଗୋଟିଏ ଉଦାହରଣରୁ ଏହା ସହଜରେ ବୁଝି ହେବ। ଚଳିତ ସପ୍ତାହରେ କ’ଣ କରିବାକୁ ହେବ ବୋଲି ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ସଚ୍ଚିଦାନନ୍ଦ ଶୁକ୍ଲା ଟୁଇଟ୍‌ ଜରିଆରେ ପ୍ରଶ୍ନ ପଚାରିବାରୁ ଏହାର ଉତ୍ତରରେ ଗ୍ରୁପ୍‌ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଚଳିତ ସପ୍ତାହରେ ଆମର ଏକମାତ୍ର ଗୋଟିଏ ଦିଗ ପ୍ରତି ନଜର ରହିଛି ବୋଲି ଉତ୍ତର ଦେଇଥିଲେ। ତାଙ୍କର ସ୍ପଷ୍ଟ ସଙ୍କେତ ମେ ୨୩ର ନିର୍ବାଚନ ଫଳାଫଳ ଆଡକୁ ଦର୍ଶାଉଛି। ଉଦ୍ୟୋଗ ଜଗତର ଅନ୍ୟତମ ପ୍ରତିନିଧି ପିଏଚ୍‌ଡିସିଆଇ ଅଧ୍ୟକ୍ଷ ରାଜୀବ ତଲଓ୍ବାର କହିଛନ୍ତି ଯେ, ଭାରତରେ ସମସ୍ତଙ୍କୁ ଜନତା ଜନାର୍ଦ୍ଦନଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ୍‌। ଯଦି ମତଦାତାଙ୍କୁ ଲାଗୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ଲାଗି ନିର୍ବାଚିତ କରିବା ଆବଶ୍ୟକ, ତେବେ ଅନ୍ୟ କୌଣସି ବିଚାର ସହ ତୁଳନା କରିବା ଅନୁଚିତ ହେବ। ଯେତେବେଳେ ଦେଶର ମତଦାତା ଚାହିଁଛନ୍ତି, ସେମାନେ ସରକାର ବଦଳାଇ ଦେଇଛନ୍ତି। ଏଭଳି ସ୍ଥିତିରେ ମୋଦିଙ୍କୁ ଦ୍ୱିତୀୟଥର ଲାଗି ନିର୍ବାଚିତ କରାଗଲେ ଏହା ଦେଶର ଅର୍ଥନୀତି ପ୍ରତି ଭଲ ହେବ। ଅନ୍ୟପକ୍ଷରେ ଆର୍‌ପିଜି ଏଣ୍ଟରପ୍ରାଇଜେର୍ସ ଅଧ୍ୟକ୍ଷ ହର୍ଷ ଗୋଏଙ୍କା କହିଛନ୍ତି ଯେ, ଏହା ନିଶ୍ଚିତ ଯେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମର ପ୍ରଥମ ଅକ୍ଷର ‘ଏନ୍‌’ରୁ ଆରମ୍ଭ ହେବ। ବ୍ରୋକରେଜ କମ୍ପାନୀ ଏଡଲଭାଇସ ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ଯେ, ଏନ୍‌ଡିଏ ସରକାରଙ୍କୁ ସ୍ପଷ୍ଟ ବହୁମତ ମିଳିଲେ ବଜାରରେ ଉତ୍ସାହ ବୃଦ୍ଧି ପାଇବ ଏବଂ ନୀତିଗତ ନିଷ୍ପତ୍ତିରେ ଧାରାବାହିକତା ବଜାୟ ରହିବ। ଅପରପକ୍ଷରେ କୋଟାକ୍‌ ଇନ୍‌ଷ୍ଟିଚ୍ୟୁଶନାଲ ସିକ୍ୟୁରିଟିଜ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ନିର୍ବାଚନ ଫଳାଫଳ ବଜାରର ଆଶା ଅନୁରୂପ ଆସିଲେ ୨୩ ପରେ କିଛି ସମୟ ପାଇଁ ସେନ୍‌ସେକ୍ସରେ ବୃଦ୍ଧି ଦେଖିପାରିବା।

Share