ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ

ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ସେମାନେ ହେଲେ ମହିଳାଙ୍କୁ ପ୍ରେମ କରୁଥିବା ଲାଠି ଗ୍ରାମର ଶିବ ଗୌଡ଼ ଓ ଅନ୍ୟ ଜଣେ ଶିବଙ୍କ ସହଯୋଗୀ ରାମନଗରର ପ୍ରଶାନ୍ତ ପାତ୍ର ବୋଲି ଜଣାପଡିଛି। ପୋଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ନଂ.୧୫୮/୧୯ରେ ଏକ ମାମଲା ରୁଜୁ କରିଛି। ଏଥିରେ ଶିବ ଗୌଡ଼ ଓ ତାଙ୍କର ୨ ସହଯୋଗୀ ସାମିଲ ଥିବା ବେଳେ ପୋଲିସ ୨ ଜଣଙ୍କୁ ଧରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି। ପ୍ରକାଶ ଯେ, ଭାପୁର ବଜାରରେ ଥିବା ଏକ ଦୋକାନରେ ମହିଳା ଜଣକ କାମ କରୁଛନ୍ତି। ଉକ୍ତ ମହିଳାଙ୍କୁ ଶିବ ଏକ ତରଫା ପ୍ରେମ କରୁଥିଲେ। ସେଥିରେ ବିଫଳ ହେବା ପରେ ଶିବ ତାଙ୍କର ୨ ଜଣ ସହଯୋଗୀଙ୍କୁ ଧରି ଶନିବାର ରାତି ପ୍ରାୟ ୧୦ଟା ବେଳେ ଭାପୁର ବଜାରରେ ପହଞ୍ଚିଥିଲେ। ଦୋକାନରେ କାମ କରୁଥିବା ମହିଳାଙ୍କ ନିକଟକୁ ଯାଇ ଶିବ ତାଙ୍କୁ ମୋ ସହିତ ଆସିବା ପାଇଁ କହିଥିଲେ। ମହିଳା ଜଣକ ମନା କରିବାରୁ ଶିବ ଓ ତାଙ୍କ ସହଯୋଗୀମାନେ ଏକ ପିସ୍ତଲ ଦେଖାଇ ତାଙ୍କୁ ଧମକ ଦେଇଥିଲେ। ଦୋକାନ ମାଲିକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଯୁବକମାନେ ଧମକଚମକ ଦେଇଥିଲେ। ବଜାର ବନ୍ଦ ହେବା ସମୟ ହୋଇଥିବାରୁ ଅନ୍ୟ ଦୋକାନୀମାନେ ସେଠାରେ ଜମା ହୋଇଯାଇଥିଲେ। ଲୋକଙ୍କୁ ଦେଖି ଶିବ ଓ ତାଙ୍କ ସହଯୋଗୀ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ସେଠାରେ ରୁଣ୍ଡ ହୋଇଥିବା ବ୍ୟବସାୟୀ ଓ ଲୋକମାନେ ୨ ଜଣ ଯୁବକଙ୍କୁ କାବୁ କରି ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣି ଜେରା ଚଳାଇଛି। ଶିବଙ୍କ ନିକଟରୁ ପୋଲିସ ଏକ ଖେଳନା ବନ୍ଧୁକ ଜବତ କରିଥିବା କହିଛି।