ଖାକିରେ କଳଙ୍କ: ଏକ ତରଫା ପ୍ରେମ କରି ନିଲମ୍ବିତ ହେଲେ ଏଏସ୍‌ଆଇ

ଭୁବନେଶ୍ୱର,୧୫ା୬(ବ୍ୟୁରୋ)-ଖାକିରେ କଳଙ୍କ ଲଗାଇଛି ପୋଲିସ ବାବୁଙ୍କ ପ୍ରେମ ନିଶା। ଏବେ ଏଭଳି ଆଉଜଣେ ଜଣେ ପୋଲିସ ଏଏସ୍‌ଆଙ୍କ କାର୍‌ନାମା ପଦାକୁ ଆସିଛି। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଶେଷରେ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ମହିଳାଙ୍କୁ ଏସିଡ୍‌ ମାଡ଼ର ଧମକ ଦେବା ମହଙ୍ଗା ପଡିଛି। ଏନେଇ ଭୁବନେଶ୍ୱର ମହିଳା ଥାନାରେ ପୀଡିତା ଜଣକ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସି ଦଫା ୩୫୪, ୨୯୪, ୫୦୬, ୫୦୭ରେ ମାମଲା(ନଂ.୨୯/୨୦) ରୁଜୁ କରି ସୋମବାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତ ଏସ୍‌ଆଇଙ୍କୁ ଥାନାରେ ପଚରାଉଚରା କରାଯାଇଥିବାବେଳେ ୧୬୧ରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ ହୋଇଥିବା ଥାନାଧିକାରୀ ବନିତା ମହାରଣା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ମହିଳା ଜଣକ ପୂର୍ବରୁ ତାଙ୍କ ନାମରେ ଦୁଇଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଏବେ ଲାଗିଥିବା ଦଫାରେ ମଧ୍ୟ ସେ ଖସିଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି) ଆଇଜି ସମ୍ପୃକ୍ତ ଏଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୁବ୍ରତ ଜ୍ଞାନ ରଞ୍ଜନ।

Share