Categories: ଖେଳ

ଏକ ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ଲାହୋର, ୧୪।୧୧ (ପି.ଟି.)- ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିଛି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଡିସେମ୍ବରରେ ପାକିସ୍ତାନ ଗସ୍ତରେ ଆସି ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଗୁରୁବାର ସମ୍ମତି ପ୍ରକାଶ କରିଛି। ଏହି ସିରିଜ ଚଳିତ ବିଶ୍ୱ ଚାମ୍ପିୟନଶିପ୍‌ ଅଂଶବିଶେଷ ସ୍ବରୂପ ହେବ। ଡିସେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସିରିଜର ପ୍ରଥମ ମ୍ୟାଚ୍‌ ରାଓ୍ବଲପିଣ୍ଡିଠାରେ ଖେଳାଯିବ। ଏହାପରେ କରାଚୀରେ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୧୯ରୁ ଆରମ୍ଭ ହେବ। ପୂର୍ବରୁ ଗତ ସେପ୍ଟେମ୍ବର-ଅକ୍ଟୋବରରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଆସି ଦିନିକିଆ ଓ ଟି୨୦ ସିରିଜ ଖେଳିସାରିଛି। ସୁରକ୍ଷାଜନିତ କାରଣ ଦର୍ଶାଇ ଶ୍ରୀଲଙ୍କାର ଲସିଥ୍‌ ମାଲିଙ୍ଗା ଓ ଦିମୁଥ କରୁଣାରତ୍ନେଙ୍କ ଭଳି କିଛି ପ୍ରମୁଖ ଖେଳାଳି ଏହି ସିରିଜରୁ ଓହରି ଯାଇଥିଲେ। ‘ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପାଇଁ ଏହା ଏକ ଖୁସି ଖବର। ବିଶ୍ୱର ଅନ୍ୟଦେଶ ପାଇଁ ଏହା ସୁରକ୍ଷିତ ବୋଲି ପ୍ରତିଷ୍ଠିତ କରିପାରିଛି। କ୍ରିକେଟର ଭବିଷ୍ୟତକୁ ନଜରରେ ରଖି ଦଳ ପଠାଇବାକୁ ରାଜି ହୋଇଥିବାରୁ ଶ୍ରୀଲଙ୍କା କ୍ରିକେଟ୍‌କୁ ଧନ୍ୟବାଦ୍‌’ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଡିରେକ୍ଟର (ଅନ୍ତର୍ଜାତୀୟ କ୍ରିକେଟ୍‌) ଜାହିର ଖାଁ କହିଛନ୍ତି।
ସ୍ମରଣଯୋଗ୍ୟ, ଅନ୍ତିମ ଦଳ ଭାବେ ଶ୍ରୀଲଙ୍କା ୨୦୦୯ରେ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ଲାହୋରରେ ଖେଳାଯାଇଥିବା ଏହି ସିରିଜର ଏକ ମ୍ୟାଚ୍‌ ଅବସରରେ ଶ୍ରୀଲଙ୍କା ଖେଳାଳିଙ୍କ ବସ୍‌ ଉପରକୁ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏଥିରେ କିଛି ଶ୍ରୀଲଙ୍କା କ୍ରିକେଟର୍‌ ଆଘାତ ପାଇଥିଲେ। ଏହି ଘଟଣା ପରଠାରୁ କୌଣସି ଦେଶ ପାକିସ୍ତାନରେ ଖେଳିବାକୁ ରାଜି ହେଉନାହାନ୍ତି।

Share