Categories: ବାଣିଜ୍ୟ

ଏଚ୍‌ଡିଏଫ୍‌ସିର ୧.୭୫ କୋଟି ଶେୟାର କିଣିଲା ଚାଇନା ବ୍ୟାଙ୍କ

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ସ୍ଥିତିର ଫାଇଦା ଏବେ ଚାଇନା ଉଠାଉଛି। ଏସିଆର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ବିବେଚିତ ଏହି ଦେଶ ସାରା ବିଶ୍ୱର ଶେୟାର ବଜାରଗୁଡ଼ିକରେ ଉପୁଜିଥିବା ନକାରାତ୍ମକ ସ୍ଥିତିର ଲାଭ ଉଠାଉଥିବା ଦେଖାଯାଉଛି। ଏଭଳି ଘଟଣା ଲଗାତର ଦେଖାଯାଉଛି। ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ହାଉସିଂ ଋଣ ପ୍ରଦାନ କରୁଥିବା ଭାରତର ପ୍ରଥମ କମ୍ପାନୀ ଏଚ୍‌ଡିଏଫ୍‌ସି ଲିମିଟେଡ୍‌ରେ ୧.୭୫ କୋଟି ଶେୟାର କ୍ରୟ କରିଛି। ପୁଞ୍ଜିବଜାରରୁ ମିଳିଥିବା ତଥ୍ୟ ମୁତାବକ ଏହା ଏଚ୍‌ଡିଏଫ୍‌ସିର ପ୍ରାୟ ୧% ଶେୟାର ବୋଲି ଜଣାପଡ଼ିଛି। କରୋନା କାରଣରୁ ଏଚ୍‌ଡିଏଫ୍‌ସି ଲିମିଟେଡ୍‌ର ଶେୟାରରେ ବୃହତ୍‌ ପରିମାଣର ହ୍ରାସ ଦେଖାଯାଇଛି। ଏଭଳି ସ୍ଥିତିରେ ଚାଇନା ଶେୟାର କିଣିଥିବା ନଜରକୁ ଆସିଛି। ଫେବୃୟାରୀ ପ୍ରଥମ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା ଏଚ୍‌ଡିଏଫ୍‌ସି ଶେୟାର ମୂଲ୍ୟରେ ୪୧% ହ୍ରାସ ଘଟିଛି। ପୂର୍ବରୁ ଚାଇନା ବ୍ୟାଙ୍କର ଶେୟାର ଏଚ୍‌ଡିଏଫ୍‌ସିରେ ୦.୮୦% ରହିଥିଲା। ଏହାକୁ ଏବେ ଚାଇନା ୧.୧୦%କୁ ବଢ଼ାଇଛି। ବର୍ତ୍ତମାନ ସ୍ଥିତିରେ ଚାଇନା ଏସିଆର ବିଭିନ୍ନ ଦେଶର କମ୍ପାନୀଙ୍କ ଶେୟାର ଲଗାତର ଭାବେ କିଣୁଛି। ଚାଇନା ପାକିସ୍ତାନ, ବାଂଲାଦେଶ ସମେତ ଏସିଆର ଅନ୍ୟ ଦେଶଗୁଡ଼ିକରେ ଭିତ୍ତିଭୂମି ଏବଂ ଟେକ୍ନୋଲୋଜି କମ୍ପାନୀଙ୍କ ଶେୟାର ବହୁଳ ଭାବେ କିଣୁଛି।

Share