Categories: ବାଣିଜ୍ୟ

ଏଚ୍‌ ୧-ବି, ଏଲ୍‌୧ ଭିଜା ଉପରେ କଟକଣା ଲଗାଇବ ୟୁଏସ୍‌

ନୂଆଦିଲ୍ଲୀ,୨୧।୬: ଏଚ୍‌ ୧-ବି ଏବଂ ଏଲ୍‌୧ ଭିଜା ଉପରେ ଆମେରିକା ନୂଆ କଟକଣା ଜାରି କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ରବିବାର ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁ ଆମେରିକାରେ ଅନେକ ଲୋକ ବେକାର ହୋଇଛନ୍ତି। ସେଠାକାର ଜବ୍‌ ମାର୍କେଟରେ ବିଦେଶୀଙ୍କୁ ବର୍ତ୍ତମାନ କଟକଣା ଲଗାଇବା ଲାଗି ଏଭଳି ନୀତି ଆମେରିକା ଗ୍ରହଣ କରୁଥିବା କୁହାଯାଉଛି। ସୋମବାର କିମ୍ବା ଆଗାମୀ ଦିନଗୁଡିକରେ ଭିଜାକୁ ନେଇ ନୂଆ ଘୋଷଣା ହେବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ବଜାର ସ୍ଥିତି ଠିକ୍‌ ନ ଥିବାରୁ କେତେକ କଠୋର ନିଷ୍ପତ୍ତି ନେବାକୁ ପଡୁଛି। ନୂଆ ନୀତି ଶୀଘ୍ର ଘୋଷଣା ହେବାକୁ ଥିବା ବେଳେ ସେ ଅଧିକ କିଛି କହିନାହାନ୍ତି। ମହାମାରୀକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ସହ ବିଦେଶୀଙ୍କୁ ଆମେରିକାକୁ ପୂରାଇ ନ ଦେବା ଲାଗି ଟ୍ରମ୍ପ ଚାହୁଁଥିବା ସେଠାକାର ବଜାର ବିଶେଷଜ୍ଞ କହିଛନ୍ତି। କାରଣ ଟ୍ରମ୍ପ ଆମେରିକାବାସୀଙ୍କୁ ପୂର୍ବଥର ମଧ୍ୟ ଗୁରୁତ୍ୱ ଦେଇଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଲାଗି ଟ୍ରମ୍ପ ଆଗଭର ହେଉଥିବା କୁହାଯାଉଛି। ବିଦେଶୀ ଟ୍ୟାଲେଣ୍ଟଙ୍କୁ ଆମେରିକା ଆସିବାରେ କୌଣସି ପ୍ରତିବନ୍ଧକ ନ ଲାଗୁ ବୋଲି ପ୍ରମୁଖ କମ୍ପାନୀଙ୍କ ସହ ଟେକ୍ନୋଲୋଜି କମ୍ପାନୀଗୁଡିକ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି। ଏହାଦ୍ୱାରା ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡିବ ବୋଲି ଟ୍ରମ୍ପଙ୍କୁ କମ୍ପାନୀଗୁଡିକର ପ୍ରତିନିଧି ଅବଗତ କରାଇଛନ୍ତି।

Share