Categories: ବାଣିଜ୍ୟ

ଏଜିଆର୍‌ ମାମଲାରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯-୩: ଆଡଜଷ୍ଟେଡ୍‌ ଗ୍ରସ ରେଭିନ୍ୟୁ(ଏଜିଆର୍‌) ମାମଲାରେ ସୁପ୍ରିମକୋର୍ଟ ପୁଣି ଥରେ ଟେଲିକମ କମ୍ପାନୀଙ୍କ ଉପରେ ବର୍ଷିଛନ୍ତି। ଟେଲିକମ କମ୍ପାନୀଗୁଡିକ ନିର୍ଦ୍ଦେଶ ପାଳନ ନ ଲେ କମ୍ପାନୀଗୁଡିକର ଏମ୍‌ଡିଙ୍କୁ ଜେଲ ପଠାଇ ଦିଆଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ଟେଲିକମ କମ୍ପାନୀଗୁଡିକ ୧.୪୭ ଲକ୍ଷ କୋଟି ସରକାରଙ୍କୁ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ ଅର୍ଥ କମ୍ପାନୀଗୁଡିକ ସରକାରଙ୍କୁ ପ୍ରଦାନ କରିବା ଆବଶ୍ୟକ। କମ୍ପାନୀଗୁଡିକ ଧାର୍ଯ୍ୟ ଅର୍ଥ ନ ଦେଇ ସେଲ୍ଫ ଆସେସମେଣ୍ଟ ବା ନିଜସ୍ବ ହିସାବ କଲେ ସେମାନଙ୍କ ବିରୋଧରେ ଅବମାନନା ମାମଲା ଦାୟର କରାଯିବ। କମ୍ପାନୀଗୁଡିକ ଏପରି କରିବା ଲାଗି ଯଦି ଅନୁମତି ପାଆନ୍ତି ତେବେ ଏହା ଠକେଇ ବୋଲି ବିଚାର କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଯଦି ଏଭଳି କରିବା ଲାଗି ଟେଲିକମ ସଚିବ କିମ୍ବା ଡେସ୍କ ଅଫିସର ଅନୁମତି ଦିଅନ୍ତି ତେବେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିବ। ଉକ୍ତ ମାମଲାରେ ମିଥ୍ୟା ଖବର ପ୍ରକାଶ ପାଇଲେ ଏଥିଲାଗି କମ୍ପାନୀଗୁଡିକ ଦାୟୀ ରହିବେ। ଏଜିଆର ମାମଲାରେ ନ୍ୟାୟାଳୟଙ୍କ ଅଗୋଚରରେ ଯାହା କିଛି ଭିତିରିଆ ହେଉଛି ତାହା ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ସାରା ଦେଶବାସୀଙ୍କ ସାମ୍ନାରେ ଏଥିରେ ଅନେକ କଥା ଅଜଣା ରହିଛି ବୋଲି ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Share