Categories: ବାଣିଜ୍ୟ

ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦ ଟଙ୍କିଆ ଭଳି ବଡ ମୂଲ୍ୟର ନୋଟକୁ ବଜାରରୁ ପ୍ରତ୍ୟାହାର ହେବା ଭଳି ପ୍ରତୀୟମାନ ହେଉଛି। ଏଭଳି ବଡ ନୋଟ୍‌ ପ୍ରିଣ୍ଟ ବନ୍ଦ ହୋଇଥିବା ଗତ ବର୍ଷ ରିଜର୍ଭ ବ୍ୟାଙ୍କ ସୂଚନା ଅଧିକାର ଯୋଗୁ ମଗାଯାଇଥିବା ତଥ୍ୟରେ ପ୍ରକାଶ କରିଥିଲା। ଗ୍ରାହକଙ୍କ ସୁବିଧା ଲାଗି ଏଟିଏମ୍‌ରେ କମ୍‌ ମୂଲ୍ୟର ନୋଟ ରଖିବା ନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡିକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଉଚ୍ଚ ପଦସ୍ତ ଅଧିକାରୀ କହିଛନ୍ତି। ମାତ୍ର କେତେକ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଏଟିଏମ୍‌କୁ ଛୋଟ ନୋଟ ବାହାରିବା ଭଳି ରିକାଲିବ୍ରେଶନ ବା ସୁବିଧା କରିସାରିନେଣି। ଏହି କ୍ରମରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସମାନ ନୀତି ଆପଣାଉଥିବା ଦେଖାଯାଉଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଏହାର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ନ ଛାଡିବା ଲାଗି ସ୍ପଷ୍ଟ କରିସାରିଛି। ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଅର୍ଥ ମନ୍ତ୍ରଣାଳୟ ଦେଇ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।
୨୦୧୬-୧୭ରେ ରିଜର୍ଭ ବ୍ୟାଙ୍କ ୩୫୪୨.୯୯୧ ନିୟୁତ ୨୦୦୦ ଟଙ୍କିଆ ନୋଟ ଛାପିଥିଲା। ୨୦୧୭-୧୮ରେ ଏହା ୧୧୧.୫୦୭ ନିୟୁତ ଏବଂ ୨୦୧୮-୧୯ରେ ଏହା ୪୬.୬୯୦ ନିୟୁତକୁ ଖସିଛି। ଏଥିରୁ ଜଣାପଡୁଛି ଯେ, ଧିରେ ଧିରେ ଏହି ନୋଟଗୁଡିକ କମ୍‌ ବଜାରକୁ ଆସୁଛି। କଳାଟଙ୍କାକୁ କମାଇବା ଏବଂ ଜମାଖୋର ରୋକିବା ଲାଗି ସରକାର ଏଭଳି କରୁଥିବା କେହି କେହି କହୁଛନ୍ତି। ୨୦୦୦ ଟଙ୍କିଆ ନୋଟ ହଟାଇବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଡିସେମ୍ବରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ। ଏଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଥିଲେ। ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ପ୍ରଚଳନରେ ୨୨.୩୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ ରହିଛି। ଏହା ୪ ନଭେମ୍ବର ୨୦୧୬ରେ ୧୭.୭୪ ଲକ୍ଷ କୋଟି ଟଙ୍କା ରହିଥିଲା। ଅକ୍ଟୋବର ୨୦୧୪ ଠାରୁ ଅକ୍ଟୋବର ୨୦୧୬ ମଧ୍ୟରେ ନୋଟ ପ୍ରଚଳନର ବାର୍ଷିକ ହାର ୧୪.୫୧% ରହିଛି। ଏହି ହିସାବକୁ ଦେଖିଲେ ବର୍ତ୍ତମାନ ୨୫.୦୪ ଲକ୍ଷ କୋଟି ଟଙ୍କାର ନୋଟ ଏବେ ପ୍ରଚଳନରେ ରହିବା କଥା।

Share