Categories: ମେଟ୍ରୋ

ଏଟିଏମ୍‌ରେ କମ୍‌ ଟଙ୍କା ଭର୍ତ୍ତି କରି ୧ କୋଟି ୩୯ ଲକ୍ଷ ହଡ଼ପ: କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଜଟଣୀ, ୧୭ା୭(ଡି.ଏନ.ଏ): ଏଟିଏମ୍‌ରେ ପ୍ରକୃତ ପରିମାଣଠାରୁ କମ୍‌ ଟଙ୍କା ଭର୍ତ୍ତି କରି ପାଖାପାଖି ୧ କୋଟି ୩୯ ଲକ୍ଷ ଟଙ୍କା ହଡପ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆତ୍ମହତ୍ୟା ଉଦ୍ୟମ କରି ଆହତ ହୋଇଥିବା କର୍ମଚାରୀଙ୍କ ନାମ ମୀନକେତନ ପରିଜା। ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବଣ୍ଟସାତପୁରୀ ଗ୍ରାମରେ ତାଙ୍କର ଘର। ସେ ସିକ୍ୟୁୟର ଭାଲ୍ୟୁ ଇଣ୍ଡିଆ ଲିମିଟେଡ୍‌ ନାମକ ଘରୋଇ ସଂସ୍ଥାର କର୍ମଚାରୀ। ଏହି ଘରୋଇ ସଂସ୍ଥା ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭରିବା ଦାୟିତ୍ୱରେ ରହିଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା କାର୍ଯ୍ୟରେ ମୀନକେତନ ରହିଥିଲେ। କେଉଁ ଏଟିଏମ୍‌ରେ କେତେ ଟଙ୍କା ଭର୍ତ୍ତିି କରାଯିବ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ତାଲିକା ଦିଆଯାଇଥାଏ। ହେଲେ ଭର୍ତ୍ତି କରିବା ପ୍ରକୃତ ଟଙ୍କାଠାରୁ ମୀନକେତନ କମ୍‌ ଟଙ୍କା ଭରିଥାନ୍ତି। ଏଟିଏମ୍‌ ଭଲ୍‌ଭ ବା ଥାକରେ କମ୍‌ ପରିମାଣରେ ଟଙ୍କା ରଖିବା ପରେ ପୂରା ଭର୍ତ୍ତି କରାଯାଇଥିବା କମ୍ପାନୀକୁ ଜଣାଇଥାନ୍ତି। ବିଶେଷକରି ଅଧିକ କାରବାର ହେଉ ନ ଥିବା ଏଟିଏମ୍‌ରେ ଏହି ପନ୍ଥା ଅବଲମ୍ବନ କରି ଟଙ୍କା ହଡ଼ପ କରିଥାନ୍ତି। ତେବେ ଘରୋଇ ସଂସ୍ଥାର ଅଡ଼ିଟ୍‌ ସମୟରେ ଏହା ଜଣାପଡ଼ିଥିଲା। ଜଟଣୀ ଓ ଖୋର୍ଦ୍ଧାର ୨୧ଟି ବ୍ୟାଙ୍କ ଏଟିଏମ୍‌ରୁ ୬ ମାସ ମଧ୍ୟରେ ଏହି ପନ୍ଥା ଅବଲମ୍ବନ କରି ୧ କୋଟି ୩୯ ଲକ୍ଷ ହଡ଼ପ କରିଥିବା ଜଟଣୀ ଥାନାରେ ଜୁଲାଇ୧୪ ରେ କମ୍ପାନୀର ଅଧିକାରୀ ତାପସ କୁମାର ମହାନ୍ତି ଅଭିଯୋଗ କରିଥିଲେ। ତେବେ ଅଡିଟ୍‌ ପରେ ପ୍ରକୃତ ଘଟଣା କମ୍ପାନୀର ଅଧିକାରୀମାନେ ଜାଣିପାରିଥିବା ଖବରପାଇ ମୀନକେତନ ଥାନାରେ ଅଭିଯୋଗ ହେବା ପୂର୍ବରୁ ୧୨ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଟଙ୍କା ନେଇ ଆସୁଥିବା ସଂସ୍ଥାର ଗାଡ଼ିରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ନେଇ ୧୬ ନଂ. ଜାତୀୟ ରାଜପଥରେ ଏପରି ଉଦ୍ୟମ ସେ କରିଥିଲେ। ତେବେ ଗୁଳି ତାଙ୍କ କାନରେ ବାଜିବାରୁ ସେ ବଞ୍ଚତ୍ୟାଇଥିଲେ। ସେ ଆହତ ଅବସ୍ଥାରେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ମୀନକେତନ ଏପରି ଷ୍ଟାଇଲ୍‌ରେ କେତେଦିନ ହେବ ଟଙ୍କା ହଡ଼ପ କରୁଥିଲେ ଏବଂ ଏଥିରେ ତାଙ୍କୁ ଆଉ କିଏ ସହଯୋଗ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳାଇଛି। ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା ଜାରି ରଖିଛି। ଏହି ଉପାୟରେ ଟଙ୍କା ହଡ଼ପ କରି ମୀନକେତନ ବିପୁଳ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ଗୋଟିଏ ଟ୍ରକ୍‌, ହୋଣ୍ଡାସିଟି ଓ ଇନୋଭା ଦୁଇଟି କାର୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌, ଗୋଟିଏ ଦାମିକା କେଟିଏମ୍‌ ବାଇକ୍‌ ପୋଲିସ ଜବତ କରିଛି। ବାହାଘର ଶୋଭାଯାତ୍ରାରେ ଯାଉଥିବା ଡିଜେ ଜବତ ଟ୍ରକ୍‌ରେ ଫିଟିଂ ହୋଇଥିବା ଅବସ୍ଥାରେ ଧରାପଡ଼ିଥିଲା। ଆହୁରି ଟ୍ରକ୍‌ ଓ ଦାମିକା ବାଇକ୍‌ ରହିଥିବା ପୋଲିସ ସୂଚନା ପାଇଛି। ସେଗୁଡ଼ିକୁ ଜବତ କରିବାକୁ ପୋଲିସ ତନାଘନା କରୁଛି। ଗାଡ଼ିଗୁଡ଼ିକ ମୀନକେତନଙ୍କ ସମ୍ପର୍କୀୟ ଭାଇଙ୍କ ନାମରେ ଥିବା ବେଳେ ସେମାନଙ୍କ ଦ୍ୱାରା ଏହାର କାରବାର କରାଯାଉଥିବା ଜାଣିବାକୁ ମିଳିଛି। ତେବେ ଏହି ହଡପ ଟଙ୍କାରେ ମୀନକେତନ ଏହି ବିପୁଳ ସମ୍ପତ୍ତିର ମାଲିକ ହୋଇଛନ୍ତି ନା ନାହିଁ ପୋଲିସ ତାହାର ତଦନ୍ତ କରୁଛି।

Share