Categories: ବାଣିଜ୍ୟ

ଏଟିଏମ୍‌ ବ୍ୟବହାର ଲାଗି ପଡିବ ଅଧିକ ଚାର୍ଜ

ନୂଆଦିଲ୍ଲୀ,୧-୫: ଚଳିତ ବର୍ଷ ଅଧାରୁ ଅଧିକ ଏଟିଏମ୍‌ ବନ୍ଦ ହୋଇଯିବ ବୋଲି କନଫେଡେରେଶନ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି(ସିଏଟିଏମ୍‌ଆଇ) ଗତବର୍ଷ ଚେତାବନୀ ଦେଇଥିଲା। ଏହାର ରିପୋର୍ଟ ଅନୁଯାୟୀ, ଦଶରେ ପ୍ରାୟ ୨ ଲକ୍ଷ ୩୮ ହଜାର ଏଟିଏମ୍‌ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ ୧ ଲକ୍ଷ ୧୩ ହଜାର ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବନ୍ଦ ହୋଇଯିବା କଥା। କାରଣ ଏଟିଏମ୍‌ ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଯାଇଛି। ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ଟ୍ରାଞ୍ଜାକଶନରୁ ଏହି ଖର୍ଚ୍ଚ ତୁଲାଇ ହେଉ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଏଟିଏମ୍‌ ବନ୍ଦ ନ କରି ବରଂ ଗ୍ରାହକଙ୍କ ଉପରେ ଅଧିକ ବୋଝ ପକାଇବାକୁ ବିଚାର ଚାଲିଛି। ଏଟିଏମ୍‌ ବ୍ୟବହାର ଚାର୍ଜ ବଢ଼ାଇବାକୁ ଯୋଜନା ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅର୍ଥାତ୍‌ ଏଟିଏମ୍‌ ବ୍ୟବହାର ପାଇଁ ଏଣିକି ଗ୍ରାହକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଆଦାୟ କରାଯିବ। ପ୍ରାପ୍ତ ସୂଚନାନୁଯାୟୀ, ପ୍ରାୟ ୧୦ରୁ ୧୫% ଅଧିକ ଚାର୍ଜ ଦେବାକୁ ପଡିପାରେ। ଏ ସମ୍ପର୍କରେ ମନ୍ତବ୍ୟ ଦେଇ ଅନ୍ୟତମ ଏଟିଏମ ପରିଚାଳନା କମ୍ପାନୀ ଏସିଆ ପାସିଫିକ୍‌ ୟୁରୋନେଟ ସର୍ଭିସର ଭାରତ ପାଇଁ ଏମ୍‌ଡି ହିମାଂଶୁ ପୁଜାରା କହିଛନ୍ତି ଯେ, ପୂର୍ବରୁ ଏଟିଏମ୍‌ର ବୃଦ୍ଧି ପାଉଥିବା ଦରକୁ ମୁଣ୍ଡାଇବା ଲାଗି କୌଣସି ବ୍ୟାଙ୍କ ରାଜି ହେଉ ନ ଥିଲେ। ଏବେ ଏହା ଉପରେ ସେମାନେ ବିଚାର କରିବା ଆରମ୍ଭ କରିଛନ୍ତି।

Share