Categories: ଖେଳ

ଏଟିପି ଫାଇନାଲ୍ସ ଖେଳିବେ ନାଡାଲ

ମାଡ୍ରିଡ, ୬ା୧୧ (ଏଏଫ୍‌ପି)-ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଆଘାତ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ନଭେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଲଣ୍ଡନରେ ହେବାକୁଥିବା ସିଜନ ଶେଷ ଏଟିପି ଟୁର୍‌ ଫାଇନାଲ୍ସରେ ସେ ଅଂଶଗ୍ରହଣ କରିବେ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସୋମବାର ମାଜୋର୍କାଠାରେ ମୁଁ ଏମ୍‌ଆରଆଇ କରିଥିଲି। ତଳିପେଟର ବାମ ପାର୍ଶ୍ୱରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ମୁଁ ଲଣ୍ଡନ ଯିବି ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଏହି ଇଞ୍ଜୁରି କାରଣରୁ ଗତ ସପ୍ତାହରେ ପ୍ୟାରିସ ମାଷ୍ଟର୍ସରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ନୋଭାକ ଜୋକୋଭିଚ୍‌ ପ୍ୟାରିସ ମାଷ୍ଟର୍ସ ଟାଇଟଲ ଜିତିଥିଲେ ମଧ୍ୟ ନାଡାଲ ଚଳିତ ସପ୍ତାହରେ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ଏହି ଖେଳାଳିଙ୍କୁ ହଟାଇ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେଇଛନ୍ତି। ବିଶ୍ୱର ୮ ଟପ୍‌ ର଼୍ୟାଙ୍କିଙ୍ଗ ଖେଳାଳିଙ୍କୁ ନେଇ ଲଣ୍ଡନରେ ଏଟିପି ଟୁର୍‌ ଫାଇନାଲ୍ସ ଖେଳାଯିବ। ଏହି ପ୍ରତିଯୋଗିତାରେ ନାଡାଲଙ୍କ ବିଶ୍ୱ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପ୍ରତି ଜୋକୋଭିଚ୍‌ଙ୍କ ଆଡୁ ବିପଦ ରହିଛି। ନାଡାଲ ସେମିଫାଇନାଲରେ ପ୍ରବେଶ କରି ନ ପାରିଲେ ଏବଂ ସର୍ବୀୟ ଖେଳାଳି ଟୁର୍ନାମେଣ୍ଟ ଜିତିଲେ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେବେ। ଏପରିକି ନାଡାଲ ଯଦି ତାଙ୍କ ପ୍ରଥମ ରାଉଣ୍ଡ ରବିନ ମ୍ୟାଚ ଜିତିବାରେ ବିଫଳ ହୁଅନ୍ତି ଜୋକୋଭିଚ୍‌ ଦୁଇଟି ଗ୍ରୁପ୍‌ ପର୍ଯ୍ୟାୟ ବିଜୟ ସହ ଫାଇନାଲରେ ପ୍ରବେଶ ଦ୍ୱାରା ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ହୋଇଯିବେ।

Share