Categories: ଖେଳ

ଏଟିପି ଫାଇନାଲ୍ସ: ସେମିଫାଇନାଲରେ ସିତ୍‌ସିପାସ

ଲଣ୍ଡନ, ୧୪।୧୧ (ଏଏଫ୍‌ପି)- ଗ୍ରାଣ୍ଡସ୍ଲାମ ପରେ ବର୍ଷର ଦ୍ୱିତୀୟ ଶ୍ରେଷ୍ଠ ଟେନିସ ପ୍ରତିଯୋଗିତା ଏଟିପି ଫାଇନାଲ୍ସରେ ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାର ଗ୍ରୁପ୍‌ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ୨୧ ବର୍ଷୀୟ ସିତ୍‌ସିପାସ ୬-୩, ୬-୨ ସିଧାସଳଖ ସେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆଲେକ୍ସଜାଣ୍ଡର ଜେଭରେଭଙ୍କୁ ପରାସ୍ତ କରିଛନ୍ତି। ଜେଭରେଭଙ୍କ ବିପକ୍ଷରେ ସିତ୍‌ସିପାସଙ୍କ ଏହା ୫ମ ମୁକାବିଲାରୁ ୪ର୍ଥ ବିଜୟ ରହିଥିଲା। ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସିତ୍‌ସିପାସ ଗ୍ରୁପ୍‌ ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍‌ରେ ଶୁକ୍ରବାର ସ୍ପାନିଶ ତାରକା ରାଫେଲ ନାଡାଲଙ୍କୁ ଭେଟିବେ। ନାଡାଲ ଲଗାତର ୧୫ଥର ଲାଗି ଏହି ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ କେବେହେଲେ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିନାହାନ୍ତି। ରୋଜର ଫେଡରର ରେକର୍ଡ ୬ଥର ପାଇଁ ଏଟିପି ଫାଇନାଲ୍ସ ଟ୍ରଫି ଜିତିଥିବାବେଳେ ତାଙ୍କ ପଛକୁ ସର୍ବିୟାର ନୋଭାକ ଜୋକୋଭିଚ୍‌ (୫) ରହିଛନ୍ତି। ପୁରୁଷ ସିଙ୍ଗଲ୍ସର ଶ୍ରେଷ୍ଠ-୮ ଖେଳାଳି ଏହି ପ୍ରତିଯୋଗିତାକୁ ଖେଳିବାକୁ ସିଧାଳସଖ ଯୋଗ୍ୟତା ହାସଲ କରିଥାନ୍ତି।

Share