Advertisement
Categories: ଖେଳ

ଏଟିପି ମ୍ୟାଚ୍‌ ଜିତିବାରେ ଲି ପ୍ରଥମ ବଧିର ଖେଳାଳି

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ଦକ୍ଷିଣ କୋରିଆର ଲି ଡକ୍‌-ହେ ପ୍ରଥମ ବଧିର ଟେନିସ ଖେଳାଳି ଭାବେ ଏଟିପି ମୁଖ୍ୟ ପର୍ଯ୍ୟାୟର ଏକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଠାରେ ଚାଲିଥିବା ଏଟିପି ଓ୍ବିନଷ୍ଟୋନ-ସାଲେମ ଓପନ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ବିଶ୍ୱ ମାନ୍ୟତାର ୨୧୨ତମ ସ୍ଥାନରେ ରହିଥିବା ୨୧ ବର୍ଷୀୟ ଲି ୭-୬ (୭/୪), ୬-୧ ସିଧାସଳଖ ସେଟ୍‌ରେ ସୁଇଜରଲାଣ୍ଡର ହେନରୀ ଲାକ୍‌ସୋନେନ୍‌ଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଲି’ଙ୍କ ମୁକାବିଲା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪୦ତମ ସ୍ଥାନରେ ରହିଥିବା ପୋଲାଣ୍ଡର ହର୍ବଟ୍‌ ହର୍କାଜଙ୍କ ସହ ହେବ। ମାତ୍ର ୧୫ ବର୍ଷ ବୟସରେ ଲି ତାଙ୍କର ପ୍ରଥମ ଏଟିପି ଟୁର୍‌ ମ୍ୟାଚ୍‌ ଖେଳିଥିଲେ। ୨୦୧୭ରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୧୩୦ତମ ସ୍ଥାନ ହାସଲ କରିଥିଲେ। ‘ଜୀବନରେ କେବେ ମଧ୍ୟ ହତୋତ୍ସାହିତ ହୁଅ ନାହିଁ। ଯଦି କଠିନ ପରିଶ୍ରମ କରିବ ତାହାଲେ ସବୁକିଛି କରିପାରିବ’ ବୋଲି ମ୍ୟାଚ୍‌ ଜିତିବା ପରେ ଲି ବିଶ୍ୱରେ ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel