ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ

ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ ଦେଇଥାଏ। କିନ୍ତୁ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ଗଣେଶଙ୍କ ଶୁଣ୍ଢ ନାହିଁ। ଏଠାରେ ତାଙ୍କର ବାଲ୍ୟ ରୂପକୁ ପୂଜା କରାଯାଉଥିବା ବେଳେ ତାଙ୍କର ମନୁଷ୍ୟକୃତି ପ୍ରତିମାଙ୍କୁ ସ୍ଥାପନା କରାଯାଇଛି। ବିନା ଶୁଣ୍ଢ ଥିବା ଗଣେଶଙ୍କ ଏହି ପ୍ରାଚୀନ ମନ୍ଦିର ରାଜସ୍ଥାନର ରାଜଧାନୀ ଜୟପୁରରେ ରହିଛି। ଏହି ମନ୍ଦିର ଗଡ ଗଣେଶ ନାମରେ ବିଖ୍ୟାତ। ବିନା ଶୁଣ୍ଢଥିବା ଗଣେଶଙ୍କ ଏଠାରେ ଏକ ସ୍ବତନ୍ତ୍ର ମାନ୍ୟତା ରହିଛି। ପ୍ରତି ବୁଧବାର ଏହି ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ। କାରଣ ବୁଧବାରକୁ ଗଣେଶଙ୍କ ଦିନ ବୋଲି କୁହାଯାଇଥାଏ।ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ମନରେ ସକାରାତ୍ମକ ଭାବନା ଆସିଥାଏ ବୋଲି ବିଶ୍ୱାସ ରହିଛି। ଏଥିସହ ମନ୍ଦିରରେ ଗଣେଶଙ୍କ ବାହନ ମୂଷିକର ୨ଟି ବଡ଼ ପ୍ରତିମା ରହିଛି। ଏମାନଙ୍କ କାନରେ ଶ୍ରଦ୍ଧାଳୁ ନିଜର ମନସ୍କାମନା ବିଷୟରେ କହିଥାନ୍ତି।

ଏଠାକାର ଲୋକେ ନିଜର ଦିନ ଗଡ ଗଣେଶଙ୍କ ଦର୍ଶନରୁ ହିଁ ଆରମ୍ଭ କରିଥାନ୍ତି। ଏହାବ୍ୟତୀତ ଗଣେଶ ଚର୍ତୁଥୀର ଦ୍ୱିତୀୟ ଦିନରେ ମନ୍ଦିର ନିକଟରେ ଏକ ମେଳାର ଆୟୋଜନ ହୋଇଥାଏ। ଏହି ସମୟରେ ଏଠାକୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି। ଏହି ପ୍ରାଚୀନ ମନ୍ଦିର ସହରର ପାହାଡ଼ ଉପରେ ଅବସ୍ଥିତ। ଏଠାରୁୁ ଜୟପୁର ସହରର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥିବା ବେଳେ ମନ୍ଦିର ନିକଟରେ ଥିବା ସମସ୍ତ ସ୍ଥାନ ଶାନ୍ତ ଓ ସୌନ୍ଦର୍ଯ୍ୟମୟ। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଠାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

Share