Categories: ଜାତୀୟ

ଏଠାରେ ୧କିଲୋ ପ୍ଲାଷ୍ଟିକ୍‌ ବଦଳରେ ମିଳୁଛି କିଲେ ଚାଉଳ

ମୁଲୁଗୁ,୧୯।୧୧: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ ଓ ପରିବେଶ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ତେଲେଙ୍ଗାନାର ମୁଲୁଗୁର ଜିଲାପାଳ ସି. ନାରାୟଣ ରେଡ୍ଡୀ ଏଥିପାଇଁ ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। ଥରେ ମାତ୍ର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ଦେଲେ ଏହା ବଦଳରେ ଜିଲାପାଳ ଲୋକଙ୍କୁ ଚାଉଳ ଦେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜିଲାପାଳ ରେଡ୍ଡୀ ଅକ୍ଟୋବର ୧୬ରୁ ଏହି ଅଭିଯାନ ୧୦ ଦିନ ପାଇଁ ମୁଲାରାମରୁ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଯିଏ ଥରେ ମାତ୍ର ବ୍ୟବହୃତ ହେଉଥିବା ୧ କିଲୋଗ୍ରାମ ପ୍ଲାଷ୍ଟିକ ଦେବ ତାକୁ ଏହା ବଦଳରେ ୧ କିଲୋଗ୍ରାମ ଚାଉଳ ମିଳିବ। ଆଉ ଏଥିପାଇଁ ଜିଲାପାଳ ସମସ୍ତ ଜିଲାରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ୍‌ ସଂଗ୍ରହ ସେଣ୍ଟର ଖୋଲିଛନ୍ତି। ଏହାଦ୍ୱାରା ଏବେ ପର୍ଯ୍ୟନ୍ତ ୪୪,୮୪୮ କିଲୋ ବ୍ୟବହୃତ ହେଉ ନ ଥିବା ପ୍ଲାଷ୍ଟିକ୍‌ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। କାରଣ ୨୦୨୦ ଫେବୃୟାରୀ ୫ରେ ହେବାକୁ ଥିବା ମେଦାରାମ ଜଥାରା ମହୋତ୍ସବ ପୂର୍ବରୁ ଜିଲାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଏହାର ଉଦ୍ଦେଶ୍ୟ ରହିଛି। ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଜିଲାପାଳଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Share