ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ ଦେଶରେ ଏମିତି ସଡ଼କ ନିର୍ମାଣ କରାଯାଇଛି। କାରଣ ରାସ୍ତାରେ ଯିବା ସମୟରେ ବେଳେ ବେଳେ ଡ୍ରାଇଭରଙ୍କୁ ନିଦ ଲାଗିବାରୁ ଦୁର୍ଘଟଣା ହୋଇଥାଏ। କିନ୍ତୁ ସଙ୍ଗୀତ ଶୁଣିଲେ ଆଉ ଡ୍ରାଇଭରଙ୍କୁ ନିଦ ଲାଗି ନ ଥାଏ। ତେଣୁ ସହଜରେ ଦୁର୍ଘଟଣାକୁ ଏଡାଯାଇପାରେ। ଆମେରିକା କାଲିଫର୍ନିଆର ଗ୍ଲସେଷ୍ଟର ସହରରେ ରହିଛି ଏମିତି ଏକ ମ୍ୟୁଜିକାଲ ରୋଡ୍‌। ଏହି ରାସ୍ତାରେ ସ୍ଥାନେ ସ୍ଥାନେ ମ୍ୟୁଜିକର ଧୁନ୍‌ ଶୁଣିବାକୁ ମିଳେ। ଏଥିପାଇଁ ରାସ୍ତାକଡରେ କେତେକ ମ୍ୟୁଜିକ୍‌ ସିଷ୍ଟମ ଖଞ୍ଜି ଦିଆଯାଇଛି। ଅବଶ୍ୟ ପ୍ରଥମେ କେତେକେ ଏହାକୁ ବାରଣ କରିଥିଲେ। ହେଲେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କ ଅନୁରୋଧକ୍ରମେ ପୁଣିଥରେ ରାସ୍ତାକଡରେ କେତେକ ସ୍ଥାନରେ ମ୍ୟୁଜିକ ସିଷ୍ଟମର ବ୍ୟବସ୍ଥା କରାଯାଇଛି। ତେବେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ଯାଉଥିବା ଲୋକେ ଏହି ମ୍ୟୁଜିକର ମଜା ନେଇପାରିବେ। ଡେନ୍‌ମାର୍କରେ ରହିଛି ‘ଦ ଅସଫାଲଟୋଫୋନ୍‌’ ନାମକ ଏକ ମ୍ୟୁଜିକାଲ ରୋଡ। ଏହା ବିଶ୍ୱର ପ୍ରଥମ ମ୍ୟୁଜିକାଲ ରୋଡ ବୋଲି ଦାବି କରାଯାଉଥିବା ବେଳେ ୧୯୯୫ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ। ତେବେ ଏହି ସଡ଼କର ବିଶେଷତ୍ୱ ହେଉଛି ଏହା ଉପର ଦେଇ ଯାତ୍ରା କରୁଥିବା ଲୋକେ କିଛି ସମୟ ଅନ୍ତରାଳରେ ଭିନ୍ନ ଭିନ୍ନ ପ୍ରକାରର ମ୍ୟୁଜିକ ଶୁଣିବାର ମଜା ଉଠାଇପାରିବେ। ଖାଲି ସେତିକି ନୁହେଁ, ଜାପାନ, ନ୍ୟୁ ମେକ୍ସିକୋ ଓ ଦକ୍ଷିଣ କୋରିଆରେ ମଧ୍ୟ ରହିଛି ଏମିତି କିଛି ମ୍ୟୁଜିକାଲ ରୋଡ। ଏବେ ଅନ୍ୟ ଦେଶଗୁଡିକ ମଧ୍ୟ ମ୍ୟୁଜିକାଲ ରୋଡ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି।

Share