ଏଠି ଠାକୁରଙ୍କୁ ନଗଦ ଅର୍ଥ ଦାନ କରିପାରିବେନି ଭକ୍ତ

ଭାରତରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୋଟବନ୍ଦୀ ଘୋଷଣା କରିବା ପରେ ପ୍ରାୟ ସମସ୍ତେ କ୍ୟାଶ୍‌ ଲେସ୍‌ ଟ୍ରାଞ୍ଜାକଶନ୍‌କୁ ଗୁରୁତ୍ୱ ଦେଇଆସୁଛନ୍ତି। ଏମିତିକି ଏଥିରୁ ବାଦ୍‌ ପଡି ନାହାନ୍ତି ଦେବାଦେବୀ। ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭକ୍ତ ଭଗବାନଙ୍କୁ ନଗଦ ଅର୍ଥ ଦାନ କରିପାରିବେ ନାହିଁ। ଏହି ମନ୍ଦିର ସମ୍ପର୍କରେ ହୁଏତ କମ ଲୋକଙ୍କୁ ଜଣାଥିବ। ହେଲେ ଭାରତର ଏହା ପ୍ରଥମ ମନ୍ଦିର ଯେଉଁଠି ପେଟିଏମ୍‌, ଭିମ୍‌ ଆପ୍‌, ଇଣ୍ଟରନେଟ୍‌ ମାଧ୍ୟମରେ ମନ୍ଦିରକୁ ଦାନ ଅର୍ଥ ପ୍ରଦାନ କରାଯାଉଛି। ଏହା ସମ୍ପୂର୍ଣ୍ଣ କ୍ୟାଶଲେସ୍‌ ମନ୍ଦିର। ଏହି ମନ୍ଦିରରେ ପ୍ରଥମ କରି ସ୍ବାଇପ୍‌ ମେଶିନ୍‌ ବ୍ୟବହାର କରାଯାଇଥିବା କୁହାଯାଏ। ଗୁଜରାଟରେ ରହିଛି ଏହି ନିଆରା ‘ଜନ ବିକାଶ’ ମନ୍ଦିର। ଗୁଜରାଟ ଭରୁଦ ସହରରେ ଥିବା ଗୁଜରାଟ ନର୍ମଦା ଓ୍ବେଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ(ଜିଏନ୍‌ଏଫ୍‌ସି) ଟାଉନଶିପ୍‌ରେ ରହିଛି ଏହି ମନ୍ଦିର। ‘କମ୍ୟୁନିଟି ଡେଭଲପମେଣ୍ଟ ଚ୍ୟାରିଟି ଟ୍ରଷ୍ଟ’ ମନ୍ଦିରର ଦାୟିତ୍ୱ ଗ୍ରହଣ କରିଛି। ନୋଟବନ୍ଦୀ ପରେ ପାଖାପାଖି ବର୍ଷେ ହେବ ଏହି ମନ୍ଦିରରେ କ୍ୟାଶଲେସ କାରବାର ଚାଲିଥିବା ମନ୍ଦିର ଦାୟିତ୍ୱରେ ଥିବା କିଛି ସଦସ୍ୟ କହିଛନ୍ତି। ଜିଏନ୍‌ଏଫ୍‌ସିର ପୂରା ଟାଉନ୍‌ଶିପ୍‌ କ୍ୟାଶଲସ୍‌ ହୋଇଥିବା ବେଳେ ଜନ ବିକାଶ ମନ୍ଦିର ବି ଏଥିରେ ସାମିଲ ହୋଇଛି। ଯେଉଁମାନେ ମନ୍ଦିରକୁ ଦାନ ଦେବାକୁ ଚାହାନ୍ତି ସେମାନେ ମନ୍ଦିର ପୂଜକଙ୍କ ପାଖରେ ଥିବା ପେଟିଏମ୍‌ ମେଶିନ୍‌ ମାଧ୍ୟମରେ ଦାନ ଦେଇ ପାରିବେ। ମନ୍ଦିର ପ୍ରାଙ୍ଗଣରେ ଶିବ, ରାଧାକୃଷ୍ଣ, ଦୁର୍ଗା ଏବଂ ରାମ-ଜାନକୀଙ୍କ ମୂର୍ତ୍ତି ରହିଛି। ଉକ୍ତ ଚାରୋଟି ମନ୍ଦିର ପାଇଁ ଅଲଗା ଅଲଗା ୪ଟି ପେଟିଏମ୍‌ ନମ୍ବର ରହିଛି। ମନ୍ଦିରରେ ଲଗାଯାଇଥିବା ଦାନବାକ୍ସକୁ ଏବେ ବନ୍ଦ କରି ଦିଆଯିବା ସହ ଏହା ଉପରେ ଲିଖିତ ସୂଚନା ମଧ୍ୟ ଦିଆଯାଇଛି କି ଏଠାରେ ନଗଦ କାରବାର ବନ୍ଦ। ଆହୁରି ମଧ୍ୟ ଏଠାରେ ବ୍ୟାଙ୍କ ଖାତା ନମ୍ବର ସହ ଅନ୍ୟକିଛି ଆବଶ୍ୟକ ତଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି।

Share