ଏଠି ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍‌

ବ୍ରିଟେନରେ ଏମିତି ଏକ ହର୍ସ ରେସ୍‌ ବା ଘୋଡା ଦୌଡ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି। ଏଥିରେ ଟେଲିଭିଜନ୍‌ ଆଙ୍କର, ଫ୍ୟାଶନ୍‌ ଏକ୍ସପର୍ଟ, ମଡେଲ, ଛାତ୍ରୀ ତଥା ଗୃହିଣୀ ସମସ୍ତେ ଭାଗ ନେବାର ସୁବିଧା ଥାଏ। ପ୍ରତିବର୍ଷ ଅଗଷ୍ଟ ୧ରେ ଏହା ଆୟୋଜିତ ହୋଇଥାଏ। ଏହା ‘ମଙ୍ଗୋଲିୟା କପ୍‌ ହର୍ସ ରେସ୍‌’ ଭାବେ ପରିଚିତ। ପ୍ରଥମେ ଏହା ୨୦୧୨ରେ ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ସପ୍ତମ ସଂସ୍କରଣର ଆୟୋଜନ କରାଯାଇଛି। ଏହି ଦିନକୁ ବ୍ରିଟେନର ‘ଲେଡିଜ୍‌ ଡେ’ ବୋଲି ମଧ୍ୟ କୁହାଯାଏ। ଏଥିରେ ୧୧ ଜଣ ମହିଳା ଭାଗ ନେଇଥାଆନ୍ତି। ଏହି କାର୍ଯ୍ୟକ୍ରମରୁ ଯାହା ଆୟ ହୁଏ ତାକୁ ବିଶ୍ୱର ମହିଳାମାନଙ୍କ ହିତରେ ଖର୍ଚ୍ଚ କରାଯାଇଥାଏ। ଚଳିତ ବର୍ଷ ଏଥିରୁ ୨୦ କୋଟି ଟଙ୍କା ଆୟ ହେବ ବୋଲି ଅନୁମାନ କରାଯାଇଛି। କାରଣ ଚଳିତ ବର୍ଷ ଏହାକୁ ଦେଖିବାକୁ ପ୍ରାୟ ୩୦ ହଜାର ଲୋକ ଆସିପାରନ୍ତି। ପ୍ରଥମେ ୨୦୧୨ରେ ଆରମ୍ଭ ହୋଇଥିବା ଏହି ରେସ୍‌ ଦେଖିବାକୁ ପ୍ରାୟ ୧୦ ହଜାର ଲୋକ ଆସିଥିବା କୁହାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଯେଉଁମାନେ ଭାଗ ନିଅନ୍ତି ସେମାନେ କେହି ପେଶାରେ ଘୋଡା ଚଢାଳି ନୁହେଁ। ତେଣୁ ରେସ୍‌ ଆୟୋଜନର ୨ ମାସ ପୂର୍ବରୁ ସେମାନଙ୍କୁ ଘୋଡା ଚଢା ତାଲିମ ଦିଆଯାଇଥାଏ। ଏଥିରେ ବ୍ରିଟେନର ପ୍ରତିଷ୍ଠିତ ଭିକ୍ଟୋରିଆ ରେସିଂ କ୍ଲବର ସଦସ୍ୟ ଜର୍ଜିୟା କୋନୋଲିଙ୍କୁ ରେସ୍‌ର ଆମ୍ବାସଡର କରାଯାଇଛି। ଏଥର ଏହି ରେସିଂ ଇତିହାସରେ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଖାଲିଜା ମଲ୍ଲା ହିଜାବ ବୁର୍ଖା ପିନ୍ଧି ଭାଗ ନେବେ।

Share