Categories: ଫୁରସତ

ଏଠି ମହିଳା ନିଜ ଇଚ୍ଛାରେ ବାହାର କରି ଦେଉଛନ୍ତି ଗର୍ଭାଶୟ

ଜଣେ ମହିଳା ପାଇଁ ଗର୍ଭାଶୟ କେତେ ଜରୁରୀ ତାହା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ହେଲେ ମହାରାଷ୍ଟ୍ରର ବିଡ ଜିଲାରେ ଆଖୁ ଫସଲ କାଟୁଥିବା ମହିଳାମାନେ ଏମିତି ଭାବେ ସେମାନଙ୍କ ଗର୍ଭଶୟକୁ ବାହାର କରି ଦେଉଛନ୍ତି ଯେମିତି ପୋଷାକ ବଦଳାଇବା ପରି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସୂଚନା ମୁତାବକ ଏଠାକାର ମହିଳା କ୍ଷେତରେ ସବୁଦିନ କାମ କରିବା ପାଇଁ ଏଭଳି କରୁଛନ୍ତି। ସେମାନଙ୍କ ମତରେ ଋତୁସ୍ରାବ ସମୟରେ ଜଣେ ମହିଳା କ୍ଷେତରେ କାମ କରିପାରି ନ ଥାଏ। ତେଣୁ ସବୁଦିନ କାମ କରିବାକୁ ସେମାନେ ନିଜର ଗର୍ଭାଶୟକୁ ଅପରେଶନ କରି ବାହାର କରିଦେଉଥିବା କୁହନ୍ତି। ଆର୍ଥିକ ସ୍ଥିତି ଭଲ ନ ଥିବା ଏହି ମହିଳାମାନେ କୁହନ୍ତି ଋତୁସ୍ରାବ ସମୟରେ କ୍ଷେତକୁ ନ ଆସିଲେ ଠିକାଦାର ସେମାନଙ୍କର ଦରମା କାଟି ଦେଇଥାଏ। ତେଣୁ ସେମାନେ ଟଙ୍କା ରୋଜଗାର କରିବା ପାଇଁ ଗର୍ଭାଶୟକୁ ବାହାର କରି ଦେଉଛନ୍ତି। ପୁଣି ଋତୁସ୍ରାବ ଯୋଗୁ ଏମାନେ ବିଭିନ୍ନ ରୋଗରେ ପୀଡିତ ହେଉଥିବାରୁ ଗର୍ଭାଶୟକୁ ବାହାର କରି ଦେଉଛନ୍ତି। ଏଠାକାର ଡାକ୍ତରଙ୍କ କହିବା କଥା ହେଲା ଋତୁସ୍ରାବ ସମୟରେ ଏମାନେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଇ ନ ଥାଆନ୍ତି ତେଣୁ ବିଭିନ୍ନ ରୋଗର ଶିକାର ହୋଇଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଏଠାକାର ମହିଳାମାନେ ଗର୍ଭାଶୟ ବାହାର କରି ଦେଉଛନ୍ତି ବୋଲି ଡାକ୍ତର କହିଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଏହା କେଉଁ କାଳରୁ ଚାଲି ଆସୁଛି। ସ୍ଥାନୀୟ ସ୍ବେଚ୍ଛାସେବୀ ମନିଷା ତୋକଲେଙ୍କ ମତ ହେଉଛି ଏଠାରେ ମହିଳାଙ୍କର ଗର୍ଭାଶୟ ଜନିତ କିଛି ବି ସମସ୍ୟା ଦେଖାଦେଲେ ଏହା ଭବିଷ୍ୟତରେ କ୍ୟାନସରର ରୂପ ନେବ ବୋଲି ଡାକ୍ତମାନେ କହିବା ପରେ ମହିଳାମାନେ ଡରି ଯାଇ ଗର୍ଭାଶୟକୁ ବାହାର କରି ଦେଉଛନ୍ତି। ଏହା ଜଣାପଡିବା ପରେ ରାଜ୍ୟ ଘଟଣାର ଯାଞ୍ଚ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Share