ଏଡସ୍‌ ମହାମାରୀ: ଆରୋଗ୍ୟ ନ ହେଲେ ବି ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ ପାଳିତ ହୋଇଥାଏ।  ସଚେତନତା ଦ୍ୱାରା କିଭଳି ଏହାର ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ ତାହା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ରୋଗରୁ ଆରୋଗ୍ୟ ହେବା ଅସମ୍ଭବ । ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ସହିତ ନିୟନ୍ତ୍ରିତ ଜୀବନ ଶୈଳୀ ଆପଣେଇ ପାରିଲେ ରୋଗୀ ବହୁ ବର୍ଷ ବଞ୍ଚି ରହିଥାଏ। ବିନା ଚିକିତ୍ସାରେ ହାରାହାରି ୧୦ ବର୍ଷ ପର୍ଯ୍ୟନ୍ତ ରୋଗୀ ବଞ୍ଚି ରହିଥାନ୍ତି। ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନଦ୍ୱାରା ଏହାର ଚିହ୍ନଟ କରାଯାଇଥିଲା । ୧୯୯୫ ଠାରୁ ଆମେରିକାରେ ଡିସେମ୍ବର ୧କୁ ସରକାରୀ ତାଲିକାଭୁକ୍ତ କରାଯାଇଥିଲା। ଗତ ୧୯୮୧ରୁ ୨୦୦୭ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇ ୨୫ ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩.୨ ନିୟୁତ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟ ଦର୍ଶାଯାଇଛି। ମୃତକଙ୍କ ମଧ୍ୟରେ ୨ ଲକ୍ଷ ୭୦ ହଜାର ଶିଶୁ ରହିଛନ୍ତି। ସେହିପରି ୨୦୧୪ରେ ପ୍ରାୟ ୩୬.୯ ନିୟୁତ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଥିଲେ। ୨୦୧୪ ସୁଦ୍ଧା ପୃଥିବୀରେ ୩୯ ନିୟୁତ ଲୋକଙ୍କର ଏହା ଯୋଗୁ ମୃତ୍ୟୁ ଘଟିଛି।
ଏହା ମୁଖ୍ୟତଃ ଅସୁରକ୍ଷିତ ଶାରୀରିକ ସମ୍ପର୍କ, ରକ୍ତ ଟ୍ରାନ୍ସଫ୍ୟୁଜନ, ଅସୁରକ୍ଷିତ ଇଞ୍ଜେକସନ ଛୁଞ୍ଚି ବ୍ୟବହାର ଦ୍ୱାରା ଜଣଙ୍କଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହୋଇଥାଏ। ଏଡସ୍‌ ହୋଇଥିବା ମା’ଠାରୁ ଏହା ଶିଶୁକୁ ସଂକ୍ରମିତ ହୋଇଥାଏ। ସ୍ତନ୍ୟପାନଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ତେବେ ଆଖିର ଲୁହ,ପାଟିର ଲାଳ ଅବା ସ୍ପର୍ଶ ଦ୍ୱାରା ଏହା ସଂକ୍ରମଣ ହୋଇ ନ ଥାଏ।

Share