ଏଡିଏମ୍‌ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍‌ପେଣ୍ଡ ମି ବ୍ୟାଜ୍‌ ଲଗାଇଲେ କାର୍ଯ୍ୟରତ ଡାକ୍ତର

ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ ଘରକୁ ଫେରାଇ ଦେବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷ ଜିଲା ମୁଖ୍ୟ ଡାକ୍ତରଖାନାର ଏଡିଏମ୍‌ଓ (ପରିବାର କଲ୍ୟାଣ) ଡା. ଭୀମ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେହିପରି ଘଟଣା ଦିନ ପରିବାର ନିୟୋଜନ ଅସ୍ତ୍ରୋପଚାର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ପୁଷ୍ପାଂଶୁ ସାହୁ କହିଛନ୍ତି ।
ତେବେ ଏଡିଏମ୍‌ଓଙ୍କୁ ନିଲମ୍ବନକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଶନିବାର ଅଭିନବ ପ୍ରତିବାଦ କରିଛନ୍ତି । କାର୍ଯ୍ୟରତ ଥିଲେ ମଧ୍ୟ ନିଜ ପୋଷାକରେ ପ୍ଲିଜ ସସ୍‌ପେଣ୍ଡ ମି(ଦୟାକରି ମୋତେ ନିଲମ୍ବନ କର) ଲେଖାଥିବା ବ୍ୟାଜ୍‌ ଲଗାଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗତ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗଠାରୁ ସୂଚନା ପାଇ ପ୍ରାୟ ଶହେ ଜଣ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତେବେ ସମସ୍ତ ମହିଳାଙ୍କୁ ନିଶ୍ଚେତକ ଦିଆଯାଇ ଥିବାବେଳେ ୭୩ ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଅନ୍ୟ ୨୭ଜଣ ମହିଳାଙ୍କୁ ବିନା ଅସ୍ତ୍ରୋପଚାରରେ ରାତିରେ ଘରକୁ ଫେରାଇ ଦିଆଯାଇଥିଲା। ଏହି ଘଟଣାକୁ ନେଇ ଜିଲା ବ୍ୟାପୀ ଆଲୋଡ଼ନ ପ୍ରକାଶ ପାଇଥିଲା। ଖବର ପାଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମଧ୍ୟ ଘଟଣା ଦିନ ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।

Share