Categories: ବାଣିଜ୍ୟ

ଏଣିକି ଧମକପୂର୍ଣ୍ଣ ଚିଠି ପଠାଇବ ନାହିଁ ଆୟକର ବିଭାଗ;ରିଟର୍ନରେ ତ୍ରୁଟି ଥିଲେ ବନ୍ଧୁତ୍ୱପୂର୍ଣ୍ଣ ମେସେଜ୍‌ ଆସିବ

ନୂଆଦିଲ୍ଲୀ,୧୯-୮: ଆୟକର ବିଭାଗ ଦେଶରେ ଟିକସ ଆତଙ୍କବାଦ ଚଳାଇଛି ବୋଲି ଉଦ୍ୟୋଗ ଜଗତ ଏବଂ ବ୍ୟକ୍ତିଗତ ଟିକସଦାତା ଅଭିଯୋଗ କରିଆସୁଛନ୍ତି। ସରକାର ଯେତେ ଯାହା କହିଲେ ମଧ୍ୟ ଆୟକର ଅଧିକାରୀଙ୍କ ମନୋଭାବରେ ପରିବର୍ତ୍ତନ ହେଉଥିବାର ଦେଖାଯାଉନାହିଁ। ଆୟକର ଅଧିକାରୀମାନେ ଟିକସଦାତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ଆହ୍ବାନ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଣିକି ଆୟକର ବିଭାଗ ଆୟକର ରିଟର୍ନ ଦାଖଲରେ ତ୍ରୁଟି ଥିଲେ ଧମକପୂର୍ଣ୍ଣ ଚିଠି ପଠାଇବେ ନାହିଁ। ବରଂ ସେକ୍ଷେତ୍ରରେ ସେମାନେ ଏସ୍‌ଏମ୍‌ଏସ୍‌ ଜରିଆରେ ରିଟର୍ନରେ ହୋଇଥିବା ତ୍ରୁଟି ସୁଧାରିବାକୁ ବନ୍ଧୁତ୍ୱପୂର୍ଣ୍ଣ ମେସେଜ ପଠାଇବେ। ଧମକ ଦେଇ ଟିକସ ଆଦାୟରୁ ଦୂରେଇବାକୁ ଏବେ ଆୟକର ବିଭାଗ ନିଷ୍ପତ୍ତି ନେଇଛି। ଟିକସଦାତାଙ୍କୁ କୌଣସି ପ୍ରକାରେ ହଇରାଣ ନ କରିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଟିକସ ଆଦାୟ ବୃଦ୍ଧି କରିବା ଲାଗି ଆୟକର ଅଧିକାରୀ ଟିକସଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ପ୍ରୋତ୍ସାହନ ପ୍ରଦାନ ପାଇଁ ପ୍ରୟାସ କରନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଟିଡିସଏସ୍‌ ଜମା ଲାଗି ଯେପରି ମେସେଜ ପଠାଯାଉଛି, ଠିକ୍‌ ସେହିପରି ଆଇଟିଆର୍‌ ଦାଖଲରେ ରହିଯାଇଥିବା ତ୍ରୁଟି ସୁଧାରିବା ପାଇଁ ଟିକସଦାତାଙ୍କୁ ମେସେଜ ପଠାଯିବ। ରିଟର୍ନ ଦାଖଲ ପାଇଁ ରିମାଇଣ୍ଡର ପଠାଇବା ଭଳି ନେଣଦେଣ ସମ୍ପର୍କିତ ରିମାଇଣ୍ଡର ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଜାଣିଶୁଣି ଟିକସ ପୈଠ ନ କଲେ, ବିଳମ୍ବ କଲେ ଅଥବା ଅନ୍ୟପ୍ରକାର ଜାଲିଆତି କରୁଥିବା ପ୍ରମାଣ ମିଳିଲେ ସମ୍ପୃକ୍ତ ଟିକସଦାତାଙ୍କ ବିରୋଧରେ ଧାର୍ଯ୍ୟ ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟକର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share