ଏଣିକି ଭୋଟର ନିଜ ପରିଚୟପତ୍ର ଯାଞ୍ଚ କରିବେ: ଆନୁଷ୍ଠାନିକ ଭାବେ ଶୁଭାରମ୍ଭ

ନୂଆପଡା ଅଫିସ,୨ା୯
ରାଜ୍ୟରେ ସମସ୍ତ ଭୋଟର ନିଜର ଠିକ ପରିଚୟପତ୍ର ଯେପରି ପାଇପାରିବେ ସେଥିପ୍ରତି ରାଜ୍ୟ ନିର୍ବାଚନ କମିଶନର ବିକଳ୍ପ ଚିନ୍ତା କରିଛନ୍ତି । ଏଣିକି ଭୋଟରମାନେ ନିଜ ପରିଚୟପତ୍ର ନିଜ ନିଜ ଅଞ୍ଚଳର ବୁଥକୁ ଆସି ଯାଞ୍ଚ କରିପାରିବେ । ଏହି କାର୍ଯ୍ୟକ୍ରମକୁ ରବିବାର ଉପଜିଲାପାଳ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଜୟଲାଲ ବେଶ୍ରା ସଭାପତିତ୍ୱ କରିଥିବାବେଳେ ଉପଜିଲାପାଳ ତରଣୀସେନ ନାଏକ, ନୂଆପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ବଳଦେବ ରଥ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଭୋଟର ଯାଞ୍ଚ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବାବେଳେ ପ୍ରତ୍ୟେକ ଭୋଟର ନିଜର ପରିଚୟପତ୍ରର ଜେରକ୍ସ କପି ନେଇ ସମ୍ପୃକ୍ତ ବୁଥରେ କେତେଦୂର ଠିକ ତାହା ଯାଞ୍ଚ କରିପାରିବେ । ଏହି ଅବସରରେ ଉପଜିଲାପାଳ ନିଜେ ତାଙ୍କର ଭୋଟର ପରିଚୟ ପତ୍ରର ଯାଞ୍ଚ କରି ନମୁନା ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଦିନ ଗୋଟିଏ ସମୟରେ ଜିଲାବ୍ୟାପି ସମସ୍ତ ବ୍ଲକ, ବୁଥସ୍ତରରେ ଏକକାଳୀନ କରାଯାଇଥିଲା। ଏହା ଆଗାମୀ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ଜିଲା ନିର୍ବାଚନ ବିଭାଗ ସମସ୍ତ କର୍ମଚାରୀ, ଏନଏସି କର୍ମଚାରୀମାନେ ଯୋଗଦେଇଥିବାବେଳେ କେତେକ ନୂତନ ଭୋଟର ଯୋଗଦେଇଥିଲେ। କାଯର୍‌ୟକ୍ରମ ପରିଚାଳନାରେ ବିଭୁଦତ ମିଶ୍ର, ଅଶୋକ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Share