Categories: ଜାତୀୟ

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଟ୍ରେନରେ ଏହି ସବୁ ଖାଦ୍ୟପେୟ ଜିନିଷଗୁଡ଼ିକ ମହଙ୍ଗା ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ଉକ୍ତ ଟ୍ରେନରେ ଟିକେଟ କରିବା ସମୟରେ ହିଁ ଏଥିପାଇଁ ଟଙ୍କା ଦେବାକୁ ପଡିବ। ସେହି ସମୟରେ ଅନ୍ୟ ଟ୍ରେନରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ରହିବ ବୋଲି ଅନୁମାନ କରାଯାଉଛି। ତେବେ ରାଜଧାନୀ, ଦୂରନ୍ତୋ ଓ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ମୁତାବକ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ପୂର୍ବରୁ ଦୂରନ୍ତୋ ସ୍ଲିପର କ୍ଲାସରେ ଜଳଖିଆ ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ହେଲେ ଏବେ ଏହା ପରିବର୍ତ୍ତନ କରାଯାଇ ୧୨୦ ଟଙ୍କା ରଖାଯାଇଛି। ଏଥିସହ ସନ୍ଧ୍ୟା ସମୟର ଚା’ର ଦାମ୍‌ ୨୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କା ହୋଇଛି। ଅନ୍ୟପଟେ ଟ୍ରେନରେ ଟିକେଟିଂ ସିଷ୍ଟମରେ ନୂଆ ମେନ୍ୟୁ ଓ ଏହାର ଦାମ୍‌ ୧୫ ଦିନରେ ଅପଡେଟ୍‌ କରାଯିବ ଏବଂ ୧୨୦ ଦିନ ଅର୍ଥାତ୍‌ ୪ମାସ ପରେ ଏହି ନୂଆ ଦର ଲାଗୁ କରାଯିବ। ଏହାପରେ ରାଜଧାନୀ ଫାଷ୍ଟ ଏସି କୋଚରେ ଖାଦ୍ୟ ୧୪୫ ଟଙ୍କା ବଦଳରେ ୨୪୫ ଟଙ୍କାରେ ମିଳିବ। ତେବେ ସଂଶୋଧିତ ଦର ଯୋଗୁ କେବଳ ପ୍ରିମିୟମ ଟ୍ରେନର ଯାତ୍ରୀ ନୁହଁନ୍ତି ବରଂ ସାଧାରଣ ଯାତ୍ରୀ ମଧ୍ୟ ପ୍ରଭାବିତ ହେବେ ବୋଲି ଚର୍ଚ୍ଚା ହେଉଛି।

Share