Categories: ଜାତୀୟ

ଏଣିକି ରାଜଧାନୀରେ ପାର୍କିଂ ହେବ ମହଙ୍ଗା: ୧୦ ଘଣ୍ଟା ପାଇଁ ଦେବାକୁ ପଡ଼ିବ ୧୦ହଜାର ଟଙ୍କା

ନୂଆଦିଲ୍ଲୀ,୧୭।୧୦: ଦିନକୁ ଦିନ ବିଶ୍ୱରେ ଗ୍ଲୋବାଲ ଓ୍ବାର୍ମିଂ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୃଥିବୀରେ ପରିବେଶ ପ୍ରଦୂଷଣ ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ପରିବେଶ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସରକାର ଏହାକୁ ରୋକିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା କିଛି ବେସରକାରୀ ଯାନବାହନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପାର୍କିଂର ଚାର୍ଜକୁ ବଢ଼ାଇବାକୁ ବିଚାର କରାଯାଉଛି। ସରକାରଙ୍କ ସହ ଜଡିତ ଥିବା ଏକ କମିଟି ଓ ନଗର ନିଗମର ଅଧିକାରୀମାନେ ପାର୍କିଂକୁ ନେଇ ଏକ ଫର୍ମୁଲା ପ୍ରସ୍ତୁତ କରିଛନ୍ତି। ଜନଗହଳି ବା ଲୋକପ୍ରିୟ ସ୍ଥାନଗୁଡିକରେ ପାର୍କିଂ କରିବା ଏବେ ମହଙ୍ଗା ହେବ। ଏହି ଫର୍ମୂଲା ଅନୁସାରେ ଲୋକପ୍ରିୟ ସ୍ଥାନଗୁଡିକରେ ଓ୍ବାର୍କିଂ ଡେ ସମୟରେ ୧୦ଘଣ୍ଟାର ପାକର୍ିଂ ପାଇଁ ୧୦ହଜାର ଟଙ୍କା ଦେବାକୁ ବାଧ୍ୟତାମୂଳକ। ଯେଉଁପରି ୧ଘଣ୍ଟା ପାଇଁ ୬୦ ଟଙ୍କା, ୫ରୁ ୬ ଘଣ୍ଟା ପାଇଁ ୫୦୦ରୁ ୭୦୦ଟଙ୍କା ଓ ୧୦ଘଣ୍ଟା ପାଇଁ ଯାନବାହନ ପାର୍କ କଲେ ୧୦ହଜାର ଦେବାକୁ ପଡ଼ିବ। ତେବେ ଏହି ଫର୍ମୂଲାକୁ ଏବେ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ଅନ୍ୟପଟେ ବୈଠକରେ ନିଆଯାଇଥିବା ନିଷ୍ପତ୍ତିରେ ପାର୍କିଂ ବେସ୍‌ ଫି ୪ଚକିଆ ଯାନ ପାଇଁ ୧୦ ଟଙ୍କା ଓ ଦୁଇ ଚକିଆ ପାଇଁ ୫ଟଙ୍କା ବଳବତ୍ତର ରହିଛି। କିନ୍ତୁ ପାର୍କିଂ ଚାର୍ଜକୁ ରାସ୍ତା ଜାମ୍‌, ସ୍ଥାନ ଓ ବ୍ୟସ୍ତବହୁଳତା ଆଧାରରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ରହିଛି। ଯଦି ଏଭଳି ହୁଏ ତେବେ ଦୀଲ୍ଲିବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ହେଉଛି।

Share