ଏଣିକି ରାସ୍ତାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବନି ପୋଲିସ: ଘରକୁ ପଠାଯିବ ଚାଲାଣ, ନ ଦେଲେ ଆର୍‌ଟିଓ ଖାତାରେ ଗଡ଼ିବ ସୁଧମୂଳ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରବିବାରଠାରୁ ସଂଶୋଧିତ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏଥର ପୋଲିସ ଆଉ ରାସ୍ତା ମଝିରେ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବ ନାହିଁ। ନୂଆ ବ୍ୟବସ୍ଥାରେ କମିଶନରେଟ ପୋଲିସ ଉଲ୍ଲଘଂନକାରୀଙ୍କଠାରୁ କଡ଼ାଗଣ୍ଡା କରି ସୁଧମୂଳ ଅସୁଲ କରିବ।  ଡିସେମ୍ବର ୧ରୁ ଆରମ୍ଭ ହେବ ଟିଭିଡିଏସ୍‌ ବ୍ୟବସ୍ଥା। ଏହା ପ୍ରଥମେ ରୂପାଲି ଛକରୁ ଆରମ୍ଭ କରାଯିବ। ପରେ ଏହା ଆଉ ଆଠଟି ପ୍ରମୁଖ ଛକକୁ ବ୍ୟାପିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ସେ ସୂଚନା ଦେଇ କହିଛନ୍ତି, ଟିଭିଡିଏସ୍‌ ବ୍ୟବସ୍ଥାରେ ଆମେ ବିଭିନ୍ନ ଛକରେ ଲାଗିଥିବା ସିସିଟିଭିରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ି ନଂ ଚିହ୍ନଟ କରିବୁ। ଏହି ନମ୍ବର ଆଧାରରେ ତାଙ୍କ ଘରକୁ ଚାଲାଣ ପଠାଯିବ। ଏହାସହ ବିଭିନ୍ନ ଛକରେ ଟ୍ରାଫିକ୍‌ ଚେକିଂ କରୁଥିବା ପୋଲିସଙ୍କ ବଡ଼ି କ୍ୟାମେରାରୁ ନିୟମ ଉଲ୍ଲଘଂନକାରୀଙ୍କ ଠାବ କରାଯିବ। ସେମାନେ ଯଦି ଘଟଣାସ୍ଥଳରେ ଜରିମାନା ନ ଦେବେ ଅଯଥାରେ ସେମାନଙ୍କ ସହ ତର୍କ କରିବା ଲାଗି ପୋଲିସକୁ ମନା କରାଯାଇଛି। ଉଲ୍ଲଘଂନକାରୀଙ୍କ ନମ୍ବରରୁ ଠାବ କରାଯାଇ ତାଙ୍କ ଘରକୁ ଚାଲାଣ ପଠାଯିବ। ପରେ ସେମାନେ କମିଶନରେଟ ମୁଖ୍ୟାଳୟରେ ଜରିମାନା ପୈଠ କରିବେ। ଏଥିଲାଗି ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯିବ। ଯଦି ଜଣେ ନିୟମ ଉଲ୍ଲଘଂନକାରୀ ଖସି ଯିବାକୁ ଉଦ୍ୟମ କଲେ ସେହି ଗାଡ଼ି ନମ୍ବର ଆଧାରରେ ଆର୍‌ଟିଓ ଖାତାରେ ଜରିମାନା ପଡ଼ିବ। ଏହି ଜରିମାନା ଦେବାରେ ବିଳମ୍ବ ହେଲେ ଏହା କ୍ରମଶଃ ବୃଦ୍ଧି ପାଇଯିବ। ଭବିଷ୍ୟତରେ ସେ ଗାଡ଼ିର କାଗଜପତ୍ର ବଦଳାଇବାକୁ ତଥା ଅନ୍ୟ କାମରେ ଆର୍‌ଟିଓ ଅଫିସ ଗଲେ ତାଙ୍କଠାରୁ ପ୍ରଥମେ ଜରିମାନା ଆଦାୟ ହେବ। ପରେ ତାଙ୍କ କାମ କରାଯିବ। ନ ହେଲେ ଗାଡ଼ିର  କାଗଜପତ୍ର କରାଯିବନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ତିନି ବର୍ଷ ମଧ୍ୟରେ କମିଶନରେଟ ପୋଲିସ ଅଧୀନରେ ଥିବା ଏକାଧିକ ଟ୍ରାଫିକ୍‌ ପୋଷ୍ଟରୁ ପୋଲିସକୁ ହଟାଯିବାକୁ ଯୋଜନା ହେଉଛି।

Share