Categories: ଖେଳ

ଏଥର ଆଇପିଏଲରେ ବିକ୍ରି ହେବେ ୧୪ରୁ ୪୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ଖେଳାଳି: ଜାଣନ୍ତୁ କିଏ ବରିଷ୍ଠ, କିଏ ସର୍ବକନିଷ୍ଠ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ହେବାକୁ ଥିବା ନିଲାମୀରେ ୩୩୨ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଆଇପିଏଲ ୨୦୨୦ ଲାଗି ଏଥର କୋଲକାତାରେ ଡିସେମ୍ବର ୧୯ରେ ନିଲାମ ପ୍ରକ୍ରିୟା ଆୟୋଜିତ ହେବ। ଏଥିରେ ଆଠଟି ଫ୍ରାଞ୍ଚାଇଜି ନିଜ ନିଜର ଦଳରେ ଖାଲି ଥିବା ସ୍ଥାନ ଲାଗି ଖେଳାଳିଙ୍କ ବୋଲି ଲଗାଇବେ। ବିଶ୍ୱର ଏହି ଧନାଢ୍ୟ ଲିଗରେ ପ୍ରବେଶ କରିବା ଲାଗି ଏଥର ୯୯୭ ଖେଳାଳି ନିଜର ନାମ ପଞ୍ଜୀକରଣ କରିଥିଲେ। ଏହା ପରେ ଆଠ ଫ୍ରାଞ୍ଚାଇଜି ଏହି ଖେଳାଳିଙ୍କ ମଧ୍ୟରୁ ନିଜ ପସନ୍ଦର କ୍ରିକେଟରଙ୍କ ନାମ ଦେବା ପରେ ୩୩୨ ଖେଳାଳିଙ୍କ ସର୍ଟ ଲିଷ୍ଟ କରାଯାଇଛି। ଏଥର ନିଲାମରେ ମୋଟ ୭୩ ଖାଲି ସ୍ଥାନରେ ଖେଳାଳିଙ୍କ ପୂରଣ ହେବ।


କୋଲକାତାରେ ହେବାକୁ ଥିବା ଏହି ନିଲାମ ଡିସେମ୍ବର ୧୯ ଗୁରୁବାର ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ। ଏଥର ନିଲାମରେ ମୋଟ ୧୮୬ ଭାରତୀୟ ଖେଳାଳି ସାମିଲ ଥିବା ବେଳେ ୧୪୩ ବିଦେଶୀ ଖେଳାଳି ସାମିଲ। ଏଥି ମଧ୍ୟରୁ ୩ ଖେଳାଳି ସଦସ୍ୟ ଦେଶରୁ ଅଛନ୍ତି।


ଏଥର ନିଲାମ ପ୍ରକ୍ରିୟାରେ ସାମିଲ ହେବେ ୪୮ ବର୍ଷୀୟ ପ୍ରବୀଣ ତାମ୍ବେ। ସେ ଏଥର ଆଇପିଏଲର ସର୍ବାଧିକ ବୟସର ଖେଳାଳି ହୋଇଛନ୍ତି। ସେ ୬୧ଟି ଟି-୨୦ରେ ୬୭ ଉଇକେଟ ନେଇଛନ୍ତି। ସେ ୩୩ଟି ଆଇପିଏଲ ମ୍ୟାଚରେ ୩୦.୪୦ ହାରରେ ୨୮ଟି ଇକେଟ୍‌ ନେଇଛନ୍ତି। ସେ ଗତଥର ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ। ସେହିପରି ଆଫଗାନିସ୍ତାନର ୧୪ ବର୍ଷୀୟ ନୁର ଅହମଦ ଏଥର ଆଇପିଏଲରେ ନିଲାମ ପ୍ରକ୍ରିୟାରେ ଭାଗ ନେଉଥିବା ସର୍ବକନିଷ୍ଠ ଖେଳାଳି ହୋଇପାରିଛନ୍ତି। ଏହି ଚାଇନାମ୍ୟାନ୍‌ ବୋଲର୍‌ ଏପର୍ଯ୍ୟନ୍ତ ୭ଟି ଟି-୨୦ ମ୍ୟାଚ୍‌ ଖେଳି ୮ଟି ଉଇକେଟ ନେଇଥିଲେ।

Share