Categories: ଜାତୀୟ

ଏଥର କଶ୍ମୀର ଗସ୍ତ କରିପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ମଧ୍ୟ ବାରଣ କରାଯାଇଥିଲା। ତେବେ ସ୍ଥିତିରେ ସୁଧାର ଆସିବାରୁ ଏବେ ପର୍ଯ୍ୟଟକମାନେ ଗସ୍ତ କରିପାରିବେ ବୋଲି ଜଣାପଡିଛି। ୩୭୦ ଉଚ୍ଛେଦ ପରେ କଶ୍ମୀର ଛାଡିବାକୁ ପର୍ଯ୍ୟଟକଙ୍କ ପାଇଁ ଯେଉଁ ଆଡଭାଇଜରୀ ଜାରି କରାଯାଇଥିଲା ସୋମବାର ରାଜ୍ୟପାଳ ସତ୍ୟପାଳ ମଲିକ ଏହାକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥିତି ସମିକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବଡ ଆତଙ୍କବାଦୀ ଆକ୍ରମଣକୁ ଲକ୍ଷ୍ୟ କରି ଘାଟି ଖାଲି କରିବା ସହ ଅମରନାଥ ଯାତ୍ରାକୁ ବି ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଖୋଲାଯିବା ସହ ଇଣ୍ଟରନେଟ ସେବା ମଧ୍ୟ ଯୋଗାଇ ଦିଆଯାଇଛି।

Share