Categories: ଜାତୀୟ

ଏଥର ଦଳକୁ ନେଇ ନୁହେଁ ଯେମିତି ବ୍ୟକ୍ତି କୈନ୍ଦ୍ରିକ ହେଲା ନିର୍ବାଚନ

ନୂଆଦିଲ୍ଲୀ,୨୦।୫: ସରିଛି ଲୋକ ସଭା ନିର୍ବାଚନ। ହେଲେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଆଉ ୨ ଦିନ ପରେ ସ୍ପଷ୍ଟ ହେବ ଯେ ଇତିହାସର ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ନିର୍ବାଚନରେ କିଏ ବିଜୟୀ ହେଲା। ପୂର୍ବ ନିର୍ବାଚନକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ଏଥର ରାଜନୈତୀକ ଦଳ ଗୌଣ ହୋଇ ଯାଇଥିବା ବେଳେ ଏହି ନିର୍ବାଚନ ବ୍ୟକ୍ତିବାଦୀ ହୋଇଗଲା। ବିରୋଧୀ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ମୁଦ୍ଦା କରୁଥିବା ବେଳେ ଏହାକୁ ନେଇ ଶାସକ ଦଳ ମଧ୍ୟ ଭୋଟ ମାଗିବା ଆରମ୍ଭ କରିଥିଲେ। ତେବେ ୧୯୭୧ ପରେ ଏମିତି ଏକ ନିର୍ବାଚନ ଦେଖିବାକୁ ମିଳିଲା ଯେଉଁଥିରେ ଶାସକ ଦଳ ବିରୋଧରେ ଛୋଟମୋଟ ମେଣ୍ଟ ମଧ୍ୟ ହୋଇଗଲା। ଅନ୍ୟପଟେ ଆରୋପ, ପ୍ରତ୍ୟାରୋପ, କଟାକ୍ଷକୁ ଦେଖିଲେ ଲାଗିଲା ଏହା ଯେମିତି ସବୁ ସୀମା ଟପି ଯାଇଥିଲା। ବିଶେଷ କରି ପାକିସ୍ତାନର ବାଲାକୋଟ ଆକ୍ରମଣ ପରେ ମୋଦି ଚର୍ଚ୍ଚାକୁ ଆସିଥିବା ବେଳେ ବିରୋଧୀ ଯେମିତି ବ୍ୟକ୍ତିଙ୍କୁ ବିରୋଧ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ। ସେମିତି ପଶ୍ଚିମବଙ୍ଗରେ ମମତାଙ୍କ ଭାଜପା ପ୍ରତି ଥିବା ଅଭିମୁଖ୍ୟରୁ ଲାଗୁଥିଲା କି ସେ ଦଳ ସହ ନୁହେଁ ବରଂ ବ୍ୟକ୍ତିଙ୍କ ସହ ନିର୍ବାଚନ ଲଢୁଛନ୍ତି। ସେମିତି ରାହୁଲଙ୍କ ଟାର୍ଗେଟରେ ମୋଦି ଥିବା ବେଳେ ମମତାଙ୍କ ଟାର୍ଗେଟରେ ମଧ୍ୟ ରହିଲେ ମୋଦି। ସେହିପରି ଉତ୍ତର ପ୍ରଦେଶରେ ମାୟାବତୀ ଓ ଅଖିଳେଶଙ୍କ ଟାର୍ଗେଟରେ ମଧ୍ୟ ରହିଲେ ମୋଦି। ଅନ୍ୟପଟେ କୌଣସି ଦଳର ବିଜୟକୁ ସ୍ଲୋଗାନରେ ସାମିଲ ନ କରି ବରଂ ଫିର୍‌ ଏକ୍‌ ବାର୍‌ ମୋଦି ସରକାର ବୋଲି ସ୍ଲୋଗାନ୍‌ ଶୁଣିବାକୁ ମିଳିଲା। ଯାହ ବି ହେଉନା କାହିଁକି ଏବେ ଏକ୍‌ଜିଟ୍‌ ପୋଲ୍‌କୁ ଛାଡି ସମସ୍ତଙ୍କ ନଜର ଫଳାଫଳ ଉପରେ।

Share