ଏଥର ଦୁର୍ଗାପୂଜାରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଝଲକ୍‌

କୋଲକାତା: ଆସୁଛି ପାର୍ବଣ, ଆସୁଛନ୍ତି ମା’। ଦେଶର କୋଣାନୁକୋଣରେ ଜଗଜ୍ଜନନୀଙ୍କ ପୂଜା ଧୁମଧାମ୍‌ରେ ପାଳିତ ହେବାକୁ ଥିବାବେଳେ, କୋଲକାତାର ପୂଜା ପ୍ରସ୍ତୁତି ଉପରେ କିନ୍ତୁ ସାରା ଦେଶର ନଜର ରହିଥାଏ। ତେବେ ଚଳିତ ଥର କୋଲକାତାର ଦୁର୍ଗାପୂଜାରେ ଦେଖିବାକୁ ମିଳିବ ଦେଶପ୍ରେମର ଝଲକ୍‌। ଭାରତୀୟ ବାୟୁସେନାର ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ଥିମ୍‌କୁ ନେଇ କୋଲକାତାର ଏକ ଦୁର୍ଗାପୂଜା ସମିିତି ପ୍ରସ୍ତୁତ କରୁଛି ଚଳିତ ଥରର ସବୁଠାରୁ ନିଆରା ଦୁର୍ଗାପୂଜା। ମଧ୍ୟ କୋଲକାତାର ୟଙ୍ଗ୍‌ ବ୍ୟାୟଜ୍‌ କ୍ଲବ ସାର୍ବଜନୀନ ଦୁର୍ଗାପୂଜା ସମିତି ଚଳିତ ଥର ୫୦ତମ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତ ହେଉଛି। ଏହି ଅବସରରେ ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ବାୟୁସେନା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ୍‌କୁ ନେଇ ମାଟିର ପ୍ରତିମୂର୍ତ୍ତି ଏବଂ ଡିଜିଟାଲ ପ୍ରୋଜେକ୍ସନ ମାଧ୍ୟମରେ ସମିତି ପକ୍ଷରୁ ପ୍ରଦର୍ଶିତ କରାଯିବ। ସମିତିର ପ୍ରବକ୍ତା ବିକ୍ରମ ସିଂହ କହିଛନ୍ତି, ଦୁର୍ଗାପୂଜା ପେଣ୍ଡାଲରେ ପ୍ରବେଶ କରୁ କରୁ ବାୟୁସେନାର ୬୫ କର୍ମୀ ଏବଂ ମୃତ ଆତଙ୍କବାଦୀଙ୍କ ମଡେଲ ଦେଖିବାକୁ ମିିଳିବ। ସେହିପରି ବାୟୁସେନା ବିମାନର ମଡେଲ ମଧ୍ୟ ଦେଖିବାକୁ ମିଳିବ। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଏକ ଅବିକଳ ପ୍ରତିମା ପୂଜା ଦେଖିବାକୁ ଆସିଥିବା ଆଗନ୍ତୁକଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିିଳିବ। ତେବେ ସମସ୍ତ ଶ୍ରଦ୍ଧାଳୁ ଓ ଆଗନ୍ତୁକଙ୍କୁ ଭାରତୀୟ ବାୟୁସେନାର ଆତଙ୍କବାଦ ବିରୋଧରେ ଏହି ସଫଳତା ମନେ ପକାଇବାକୁ ସମିତି ପକ୍ଷରୁ ଏଭଳି ପ୍ରଚେଷ୍ଟା କରାଯାଇଛି।

Share