Categories: ଜାତୀୟ

ଏଥର ନିର୍ବାଚନ ନୁହେଁ ସିଧା ସରକାର ଗଠନ କରାଯାଉ: ଉଦ୍ଧବ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ସରକାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ରାତାରାତି ନିଷ୍ପତ୍ତି ନେଇ ଶନିବାର ସକାଳୁ ଭାଜପା-ଏନ୍‌ସିପି ସହ ମିଶି ସରକାର ଗଢିବା ଶିବସେନା ହଜମ କରି ପାରୁନି। କାରଣ ଶିବସେନା ଶନିବାର ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାର ଥିଲା। ହେଲେ ସକାଳୁ ସବୁ ଦୃଶ୍ୟପଟ ହୋଇଗଲା ଓଲଟ ପାଲଟ। ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଭାଜପା ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ଏହାପରେ ଶିବସେନା ଓ ଏନ୍‌ସିପି ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିିଛନ୍ତି। ଏଥିରେ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ କହିଛନ୍ତି ମହାରାଷ୍ଟ୍ର ରାଜନୀତିରେ ଯାହା ହେଉଛି ତାକୁ ସାରା ଦେଶ ଦେଖୁଛି। ମୋତେ ଲାଗୁଛି ଏହାପରେ ନିର୍ବାଚନର ଆବଶ୍ୟକତା ନାହିଁ ସିଧା ସରକାର ଗଠନ କରିଦେବା ଉଚିତ୍‌। ସେ କହିଛନ୍ତି ବିହାର-ହରିୟାଣାରେ ଭାଜପା ଯାହା କଲା ତାକୁ ସମସ୍ତେ ଦେଖିଲେ। ହେଲେ ଶିବସେନା ଯାହା କରୁଛି ଖୋଲାଖୋଲି ଭାବେ କରୁଛି। ଭାଜପାକୁ ନା ମିତ୍ର ଦରକାର ନା ବିରୋଧି। ସୂଚନାଯୋଗ୍ୟ, ପାଖାପାଖି ମାସେ ହେବ ମହାରାଷ୍ଟ୍ରରେ ଯେଉଁ ରାଜନୀତି ଡ୍ରାମା ଚାଲିଥିଲା ଶନିବାର ଏହାର ଅନ୍ତ ଘଟିଛି। କେହି କିଛି ବୁଝିବା ପୂର୍ବରୁ ଭାଜପାର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପିର ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି। ଏବେ ଏହାକୁ ନେଇ ଶିବସେନା କହିଛି ଏହି ସରକାର ବେଶିଦିନ ତିଷ୍ଠି ପାରିବ ନାହିଁ। ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଖୁବ୍‌ଶୀଘ୍ର ଗାଦିଚ୍ୟୁତ ହେବେ। ଆଉ ଯିଏ ତାଙ୍କୁ ଏଥିରେ ସାହାଯ୍ୟ କରିଛି ତାହା ମଧ୍ୟ ସ୍ପଷ୍ଟ ହେବ। ଇଭିଏମ୍‌ ପରେ ଏହା ଭାଜପା ଓ ଏନ୍‌ସିପିର ନୂଆ ଖେଳ ବୋଲି ଉଦ୍ଧବ ପ୍ରକାଶ କହିଛନ୍ତି ।

Share