ଲଣ୍ଡନ, ୧୪।୮:ଇଂଲଣ୍ଡର ଓ୍ବିକେଟକିପର୍ ବ୍ୟାଟ୍ସମ୍ୟାନ୍ ସାରା ଟେଲର ମହିଳା କ୍ରିକେଟରେ ଏକ ଜଣାଶୁଣା ନାଁ। କ୍ରିକେଟ ପଡିଆରେ ସେ ଅନେକ ରେକର୍ଡର ଅଧିକାରୀ ମଧ୍ୟ। ଖାସ୍ ଭାବେ ଓ୍ବିକେଟ୍ ପଛରେ ସେ ଅନେକ କ୍ରିକେଟରଙ୍କୁ ପାଣି ପିଆଇ ଦେଇଛନ୍ତି। ଏବେ ସେ ଏକ ମହତ୍ କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ଏକ ଅଭିଯାନରେ ସାମିଲ ହୋଇଛନ୍ତି। ଏଥିପାଇଁ ତାଙ୍କୁ ନଗ୍ନ ହେବାକୁ ପଡିଥିଲେ ମଧ୍ୟ ସେ ମହିଳାଙ୍କୁ ସୁରକ୍ଷା ବାର୍ତ୍ତା ଦେବା ପାଇଁ ଏହା କରିବାକୁ ପଛାଇ ନାହାନ୍ତି। ସୋସିଆଲ ମିଡିଆରେ ନିଜରଏକ ନଗ୍ନ ଫଟୋ ଛାଡି ଲେଖଛନ୍ତି, ମୋତେ ଏହା କରିବାକୁ ଅସହଜ ମନେ ହେଉଥିଲେ ମଧ୍ୟ ମୁଁ ମହିଳାଙ୍କ ପାଇଁ ଏହା କରିବାକୁ ଗର୍ବ ଅନୁଭବ କରିଥିଲି। ପ୍ରତ୍ୟେକ ନାରୀ ନିଜ ଶରୀରକୁ ନେଇ ଗର୍ବ କରିବା ଉଚିତ୍। ବିଭିନ୍ନ ଶରୀରଗତ ସମସ୍ୟାକୁ ନେଇ ମହିଳାଙ୍କୁ ସଚେତନ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ସାରା କହିଛନ୍ତି। ସୂଚନାଯୋଗ୍ୟ, ସାରା ଏକଦିବସୀୟ କ୍ରିକେଟରେ ୭ଟି ଶତକ ହାସଲ କରିଛନ୍ତି।