Categories: ଜାତୀୟ

ଏନସିପି ଏନଡିଏର ଏକ ଅବିଚ୍ଛେଦ୍ୟ ଅଙ୍ଗ: ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ,୧୯।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବର୍ତ୍ତମାନ ବିରୋଧୀ ସାମ୍ମୁଖ୍ୟ ‘ଇଣ୍ଡିଆ’ ସହିତ ରହିବ ନା ଏହା ଏନଡିଏରେ ଯୋଗ ଦେବ? ବୁଧବାର ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗତ ମାସରେ ପାଟନାରେ ବିରୋଧୀ ସଭାରେ ଯୋଗ ଦେଇଥିବା ପ୍ରଫୁଲ୍ଲ ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଉପସ୍ଥିତ ଥିଲେ। ବୈଠକରେ ଯୋଗଦେବା ପରେ ପ୍ରଫୁଲ୍ଲ ପଟେଲ କହିଛନ୍ତି, ଏନସିପି ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଭବିଷ୍ୟତରେ ତାଙ୍କ ଦଳ ଏନଡିଏ ସହ କାମ କରିବ। ମୁଁ ଏବଂ ଅଜିତ ପାୱାର ଆଜି ଅନ୍ୟ ରାଜନୈତିକ ଦଳ ସହ ଏନଡିଏ ବୈଠକରେ ଉପସ୍ଥିତ ଥିଲୁ। ଏନସିପି ଏନଡିଏର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏନସିପି ଭବିଷ୍ୟତରେ ଏନଡିଏ ସହ କାମ କରିବ।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ସୁନୀଲ ତଟକରେଙ୍କ ସହ ପ୍ରଫୁଲ୍ଲ ପଟେଲ ମୁମ୍ବାଇର ଓ୍ବାଇବି ଚହ୍ବାନ ସେଣ୍ଟରରେ ଶରଦ ପାୱାରଙ୍କୁ ଭେଟିଥିଲେ। ଶରଦଙ୍କୁ ଭେଟିବା ପରେ ପ୍ରଫୁଲ୍ଲ କହିଥିଲେ, ଆମେ ତାଙ୍କୁ ଏନସିପି ଏକତ୍ର ରଖିବାକୁ ଅନୁରୋଧ କରିଥିଲୁ ଏବଂ ସେ ଆମ କଥା ଶୁଣିଲେ କିନ୍ତୁ ଏ ବିଷୟରେ କିଛି କହି ନାହାଁନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୨ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ସହିତ ଦଳର ଅନ୍ୟ ଆଠ ଜଣ ବିଧାୟକ ମଧ୍ୟ ଏନଡିଏ ସରକାରରେ ଯୋଗ ଦେଇଥିଲେ। ସେବେଠାରୁ ଏନସିପି ୨ ଗୋଷ୍ଠୀରେ ପରିଣତ ହୋଇଛି।

Share