ଏନ୍‌ଆର୍‌ସିକୁ ନବୀନଙ୍କ ନା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟ ସରକାର ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି)କୁ ସମର୍ଥନ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଏହା ସ୍ପଷ୍ଟ କରିଛନ୍ତି। ୫ ଦିନିଆ ଦିଲ୍ଲୀ ଗସ୍ତର କେଇ ଘଣ୍ଟା ପୂର୍ବରୁ ଏନ୍‌ଆରସି ସମ୍ପର୍କରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।
ନବୀନ କହିଛନ୍ତି ଯେ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଦ୍ୱାରା ଭାରତୀୟ ନାଗରିକମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଏହା କେବଳ ବିଦେଶୀମାନଙ୍କ ପାଇଁ ଉଦ୍ଦିଷ୍ଟ। ବିଜୁ ଜନତା ଦଳ(ବିଜେଡି) ପାର୍ଲାମେଣ୍ଟର ଉଭୟ ସଦନ(ଲୋକ ସଭା ଏବଂ ରାଜ୍ୟ ସଭା)ରେ ସ୍ପଷ୍ଟ କରିସାରିଛି ଯେ, ଜାତୀୟ ନାଗରିକ ପଞ୍ଜିିକା(ଏନ୍‌ଆରସି)କୁ ଦଳ ସମର୍ଥନ କରୁନାହିଁ। ତେଣୁ ରାଜ୍ୟର ନାଗରିକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରୁଛି। ସେହିପରି ଏ ସମ୍ବନ୍ଧୀୟ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନ୍‌ଆରସିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସବୁ ମହଲରେ ସ୍ବାଗତ କରାଯାଇଛି। ପାର୍ଲାମେଣ୍ଟରେ ସିଏବି ଆଲୋଚନା ବେଳେ ମଧ୍ୟ ବିଜେଡି ପକ୍ଷରୁ ଏନ୍‌ଆରସିକୁ ସମର୍ଥନ କରାଯାଇ ନ ଥିଲା। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଏବଂ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସିଏବି ସହ ଏନ୍‌ଆରସିକୁ ମିଶା ନ ଯାଉ ବୋଲି ମଧ୍ୟ ମନ୍ତବ୍ୟ ରଖିଥିଲେ। ଏଥିସହିତ ସିଏବିରେ ଶ୍ରୀଲଙ୍କାକୁ ବାଦ୍‌ ଦିଆଯାଇଥିବା ପ୍ରସଙ୍ଗକୁ ମଧ୍ୟ ବିଜେଡି ପକ୍ଷରୁ ଉଠାଯାଇଥିଲା। ମୁଖ୍ୟମନ୍ତ୍ରୀ ଏନ୍‌ଆରସି ସମ୍ପର୍କିତ ସ୍ପଷ୍ଟୀକରଣ ଦେବା ସମୟରେ ତାଙ୍କ ନିକଟରେ ଶର୍ମିଷ୍ଠା ସେଠୀ, ସସ୍ମିତ ପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share