Categories: ଜାତୀୟ

ଏନ୍‌ଆର୍‌ସିକୁ ବିରୋଧ, ଆସାମ ବନ୍ଦ

ଗୁଆହାଟୀ,୨୧ା୯(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଚୂଡ଼ାନ୍ତ ତାଲିକାରୁ ବହୁ ମୂଳବାସିନ୍ଦା ବାଦ୍‌ ପଡିଥିବାରୁ ଏହା ବିରୋଧରେ ଶୁକ୍ରବାର ଆସାମରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଅଗଷ୍ଟ ୩୧ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଅନେକ ତ୍ରୁଟି ରହିଥିବା ଅଲ୍‌ କୋଚ୍‌ ରାଜବଂଶୀ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏକେଆର୍‌ଏସ୍‌ୟୁ) ଅଭିଯୋଗ କରିବା ସହ ବାଦ୍‌ ପଡିଥିବା ଉକ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ସାମିଲ କରିବା ପାଇଁ ଦାବି କରିଛି। ଚୂଡ଼ାନ୍ତ ତାଲିକାରେ ହଜାର ହଜାର କୋଚ୍‌ ରାଜବଂଶୀ ସମ୍ପ୍ରଦାୟର ବ୍ୟକ୍ତି ବାଦ୍‌ ପଡିଥିବାରୁ ଏହି ତାଲିକା ଗ୍ରହଣୀୟ ନୁହେଁ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି। ବନ୍ଦକୁ ନେଇ କୌଣସି ହିଂସାକାଣ୍ଡ ଘଟି ନ ଥିବାବେଳେ ବିକ୍ଷୋଭକାରୀ ଏନ୍‌ଆର୍‌ସି କୋଅର୍ଡିନେଟର ପ୍ରତୀକ ହାଜେଲାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। କୋଚ ରାଜବଂଶୀ ବହୁଳ ଜିଲା ମୋରିଗାଓଁ, କୋକ୍ରାଝର, ଚିରାଙ୍ଗ, ବକ୍ସ, ନାଲବାରି, ନାଗାଓଁ ଏବଂ ଶିବସାଗରରେ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

Share