Categories: ଜାତୀୟ

ଏନ୍‌ଆର୍‌ସିରୁ ଆଉ ଲକ୍ଷେ ବାଦ୍‌ ପଡ଼ିଲେ

ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ ପ୍ରକାଶିତ ଏନ୍‌ଆର୍‌ସି ଚିଠାରୁ ଆସାମର ୪୦ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଏହାକୁ ନେଇ ବିବାଦ ଉଠିଥିଲା। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସମୀକ୍ଷା କରାଯାଇ ଏବେ ଅତିରିକ୍ତ ଭାବେ ଆହୁରି ୧୦୨,୪୬୨ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଆସାମର ଏନ୍‌ଆର୍‌ସି ସଂଯୋଜକଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ୨୦୧୮ ଜୁଲାଇ ୩୦ରେ ପ୍ରକାଶିତ ଚିଠା ତାଲିକାରେ ସ୍ଥାନିତ ବ୍ୟକ୍ତିଙ୍କ ମଧ୍ୟରୁ ୧,୦୨,୪୬୨ ଜଣଙ୍କୁ ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକାଲ ରେଜିଷ୍ଟ୍ରାର୍‌ ଅଫ୍‌ ସିଟିଜେନ୍ସ ରେଜିଷ୍ଟ୍ରେଶନ୍ସ (ଏଲ୍‌ଆର୍‌ସିଆର୍‌)ଙ୍କ ପକ୍ଷରୁ ଚାଲିଥିବା ଯାଞ୍ଚ ପ୍ରକ୍ରିୟାରେ ଏମାନଙ୍କୁ ଚିହ୍ନଟ କରାଯାଇଛି। ଆସାମରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ୧୯୫୧ ପରେ ପ୍ରଥମଥର ପାଇଁ ତାଲିକା ପ୍ରସ୍ତୁତ କରାଯାଉଛି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଛି। ଏହାର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ରେ ପ୍ରକାଶ ପାଇବ। କେଉଁମାନଙ୍କୁ କାହିଁକି ବାଦ୍‌ ଦିଆଯାଇଛି ସେସମ୍ପର୍କିତ ତଥ୍ୟ ଏନ୍‌ଆର୍‌ସି ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପତ୍ର ଜରିଆରେ ଅବଗତ କରାଯିବ। ବାଦ୍‌ ପଡ଼ିଥିବା ବ୍ୟକ୍ତି ଏନ୍‌ଆର୍‌ସି ସେବାକେନ୍ଦ୍ର, ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ, ସବ୍‌ଡିଭିଜନାଲ ଅଫିସ ଓ ସର୍କଲ ଅଫିସରେ ମଧ୍ୟ ଏ ସଂକ୍ରାନ୍ତ ସୂଚନା ପାଇପାରିବେ। ବାଦ୍‌ ପଡ଼ିଥିବା ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ ନିଜ ଦାବି ଜଣାଇପାରିବେ। ଜୁଲାଇ ୫ରୁ ଏହା ଆରମ୍ଭ ହେବ। ପ୍ରକାଶ ଯେ, ୩.୨୯ କୋଟି ଲୋକ ଏନ୍‌ଆର୍‌ସିରେ ସାମିଲ ପାଇଁ ଆବେଦନ କରିଥିବାବେଳେ ୨.୯ କୋଟି ଯୋଗ୍ୟ ବିବେଚିତ ହୋଇଛନ୍ତି।

Share