ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ଜାତୀୟ ରାଜପଥଗୁଡିକର ନିର୍ମାଣ କରାଯାଉଛି। ପରେ ରାସ୍ତାର ଓସାର, ସ୍ଥଳ ବିଶେଷରେ ୱାଟର ଲଗିଂ ସମସ୍ୟା ଦେଖାଦେଉଛି। ଅସରାଏ ବର୍ଷା ହେଲେ ରାଜଧାନୀସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ପ୍ରସଙ୍ଗ ଆଲୋଚନା ହୋଇଥିଲା। ତେଣୁ ରାଜ୍ୟରେ ଏନ୍‌.ଏଚ୍‌. ନିର୍ମାଣ, ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଏଚ୍‌ଏଆଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁ ବୋଲି କମିଟି ପରାମର୍ଶ ଦେଇଛି। ସେହିପରି କମିଟିର ସଦସ୍ୟମାନେ ବୈଠକରେ ନିଜ ନିଜ ନିର୍ବାଚନମଣ୍ଡଳୀର ରାସ୍ତା,କୋଠାବାଡ଼ି ସମ୍ପର୍କିତ ପ୍ରସ୍ତାବ ରଖିଥିଲେ। ବୈଠକରେ ପୂର୍ତ୍ତ ବିଭାଗ କମିଶନର ତଥା ସଚିବ କ୍ରିଷ୍ଣନ କୁମାର ବିଭାଗ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ଗତ ୫ ବର୍ଷରେ ଧାର୍ଯ୍ୟଲକ୍ଷ୍ୟଠାରୁ ବିଭାଗ ଅଧିକ ରାସ୍ତା ଏବଂ ପୋଲ ନିର୍ମାଣ କରିଛି। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତୁଳନାରେ ପୂର୍ତ୍ତ ବିଭାଗ ପ୍ରଦର୍ଶନ ଉତ୍ତମ ରହିଛି। ହେଲେ ପୂର୍ବାପେକ୍ଷା ବିଭାଗର ଅନୁଦାନ ହ୍ରାସ ପାଇଥିବା ସଚିବ ଉଲ୍ଲେଖ କରିଥିଲେ। ତେଣୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ଅନୁଦାନ ବୃଦ୍ଧି ସମ୍ପର୍କିତ ଦାବି ଅର୍ଥ ଏବଂ ଯୋଜନା ଓ ସଂଯୋଜନା ବିଭାଗ ନିକଟରେ ରଖାଯାଉ ବୋଲି ମତ ଦେଇଥିଲେ। ଏହି ବୈଠକରେ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲଙ୍କ ସମେତ ବିଧାୟକ ଅମର ପ୍ରସାଦ ଶତପଥୀ, ତାରାପ୍ରସାଦ ବାହିନୀପତି, ବିକ୍ରମ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରକାଶ ସୋରେନ ଏବଂ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ବିଧାନସଭାର ୫୫ ନଂ. ରୁମ୍‌ରେ ଶୁକ୍ରବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଡ୍ରେନ୍‌, ସ୍ବେରେଜ ବ୍ୟବସ୍ଥା ସମ୍ପର୍କିତ ଆଲୋଚନା କରାଯାଇଥିଲା। ସେହିପରି ଉତ୍ତର-ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଧାନୀସ୍ଥିତ କଳାରାହାଙ୍ଗ ନିକଟରେ ଏକ ରେଲୱେ ଓଭରବ୍ରିଜ(ଆରଓବି) ପାଇଁ ପ୍ରସ୍ତାବ ଦେଇଥିଲେ।

Share