Categories: ଗଞ୍ଜାମ

ଏନ୍‌ଏସି ଖୋଲିନି, ଲୋକେ ଖୋଲିଲେ ଜଳଛତ୍ର

ଭଞ୍ଜନଗର,୨୯।୪(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବିଗତ କିଛିଦିନ ହେବ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହୁଛି। ଫଳରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ସହରର ପ୍ରମୁଖ ରାସ୍ତା ଜନଶୂନ୍ୟ ହୋଇପଡୁଛି। ଖରାଦିନେ ଜଳଛତ୍ର ଏନ୍‌ଏସି ପକ୍ଷରୁ ପ୍ରତ୍ୟେକ ବର୍ଷ ଖୋଲାଯାଉଥିଲା। କିନ୍ତୁ ଚଳିତବର୍ଷ ଏପର୍ଯ୍ୟନ୍ତ ଜଳଛତ୍ର ଖୋଲିନାହିଁ। ଦିନବେଳେ ଷ୍ଟାଣ୍ଡପୋଷ୍ଟରେ ପାଣି ଆସିବା ବ୍ୟବସ୍ଥା ନାହିଁ। ହ୍ୟାଣ୍ଡ ଟ୍ୟୁବ୍‌ଓ୍ବେଲ ସହରର ମୁଖ୍ୟ ଅଞ୍ଚଳଗୁଡିକରେ ନାହିଁ। ତେଣୁ ଲୋକେ ପାଣି ପାଇଁ ହଟହଟା ହେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କ ସମସ୍ୟା ଅଧିକ। ବାଧ୍ୟହୋଇ ଦୋକାନରୁ ପାଣି ପାଉଚ କିଣି ଶୋଷ ମେଣ୍ଟାଉଛନ୍ତି। ପାଣି ପାଉଚ ବିକ୍ରି ବେନିୟମ ହୋଇଥିଲେ ମଧ୍ୟ ଅବାଧରେ ଦୋକାନ ଗୁଡିକରେ ବିକ୍ରି ହେଉଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ଯାହାକୁ ନେଇ ସହରବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହିଭଳି ପରିସ୍ଥିତିରେ ରବିବାର ସ୍ଥାନୀୟ ଆର୍‌ସିରୋଡରେ ଥିବା ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସାମାଜିକ କର୍ମୀ ଶୂଳପାଣି ଶତପଥୀ, ଲେଖକ ଡ. ସୁରେଶ କୁମାର ପଣ୍ଡା, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜଳଛତ୍ରରେ ପାଣି ସମେତ ବିଭିନ୍ନ ସମୟରେ ଚହ୍ଲା ଦେବା ବ୍ୟବସ୍ଥା ଅଛି। ଅପରପକ୍ଷେ ଏନେଇ ଏନ୍‌ଏସିର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ନିର୍ବାଚନ କାର୍ଯ୍ୟରେ କର୍ମଚାରୀମାନେ ବ୍ୟସ୍ତଥିଲେ ତେଣୁ ଜଳଛତ୍ର ଖୋଲିବାରେ ବିଳମ୍ବ ହୋଇଥିଲା। ଦିନେ ଦୁଇଦିନ ମଧ୍ୟରେ ଜଳଛତ୍ର ଖୋଲିବା ବ୍ୟବସ୍ଥା କରାଯିବ।