ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଗୁରୁତର: ୨ ଅଫୁଟା ଗୁଳି, ମାଉଜର ଜବତ

ଗଞ୍ଜାମ,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଜୟଶ୍ରୀଛକଠାରେ ଶନିବାର ଭୋରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ବ୍ରହ୍ମପୁର ଅଞ୍ଚଳ ଗୋଷାଣୀ ନୂଆଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଓରଫ କୋକୋ ଗୁରୁତର ହୋଇଛନ୍ତି। ତେବେ ତାଙ୍କ ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କଠାରୁ ୨ଟି ଜୀବନ୍ତ ଗୁଳି ଓ ମାଉଜର ଜବତ କରାଯାଇଥିବା ଥାନା ଆଇଆଇସି ସୁଦାମ ମଲିକ ସୂଚନା ଦେଇଛନ୍ତି। କୋକୋଙ୍କ ନାମରେ ବ୍ରହ୍ମପୁର ଥାନାରେ ଏକାଧିକ ମାମଲା ଥିବାବେଳେ ବିଜେଡି ନେତା ତଥା ଏମ୍‌ପି ପ୍ରତିନିଧି ସୁଧୀର ପାଢ଼ୀଙ୍କୁ ବୋମା ମାଡ଼ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ବୋଲି ଥାନା ଅଧିକାରୀ କହିଛନ୍ତି।