Categories: ଜାତୀୟ

ଏନ୍‌କ୍ଲୋଜରରେ ରହିଲା ମଣିଷଖିଆ ବାଘ

ଭୋପାଳ, ୭।୬: ମଧ୍ୟପ୍ରଦେଶରେ ଏକ ମଣିଷଖିଆ ବାଘକୁ ଏନ୍‌କ୍ଲୋଜରରେ ରଖାଯାଇଛି। କାହ୍ନା ଜାତୀୟ ଅଭୟାରଣ୍ୟରେ ଥିବା ଏହି ବାଘକୁ ଟ୍ରାଙ୍କ୍ବ୍ୟୁଲାଇଜ୍‌ କରାଯାଇ ଭୋପାଳ ବନ ବିହାରକୁ ପଠାଇ ଦିଆଯାଇଛି। ୫ ବର୍ଷ ବୟସ୍କ ୧୮୦ କିଲୋଗ୍ରାମ୍‌ ବିଶିଷ୍ଟ ଏହି ବାଘ ୩ ଜଣ ମଣିଷଙ୍କୁ ମାରି ଖାଇବା ଯୋଗୁ ୨୦୧୮ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁରଠାରୁ ମଧ୍ୟପ୍ରଦେଶର ବେତୁଲ ଅଞ୍ଚଳର ପଳାଶପାଣି ପର୍ଯ୍ୟନ୍ତ ଦୀର୍ଘ ୫୧୦ କିଲୋମିଟର ମଧ୍ୟରେ ଘୁରି ବୁଲୁଥିଲା। ଏହାକୁ ୨୦୧୮ ଡିସେମ୍ବର ୧୦ରେ ସାତପୁରାଠାରେ ଧରାଯାଇଥିଲା। ଏହାକୁ କାହ୍ନା ଜାତୀୟ ଅଭୟାରଣ୍ୟକୁ ପଠା ଦିଆଯାଇଥିଲା। ତେବେ ବାଘଟି ମଣିଷଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ଙ୍କ ପକ୍ଷରୁ ୨୦୧୯ରେ ଏନକ୍ଲୋଜରରେ ରଖାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ, ସମ୍ପ୍ରତି ବନ ବିହାରରେ ୧୪ଟି ବାଘ ଅଛନ୍ତି। ତେବେ କେବଳ ୪ଟିକୁ ଲୋକେ ଦେଖିପାରୁଛନ୍ତି। ଅନ୍ୟ ୧୦ଟି ବାଘଙ୍କୁ ସେମାନଙ୍କର ବିପଦ ଜନକ ସ୍ବଭାବ ଯୋଗୁ ଅଲଗା ଏନ୍‌କ୍ଲୋଜରରେ ଦୂରେଇ ରଖାଯାଇଛି।

Share