ଏନ୍‌ଜେନ୍‌ କର୍ମଚାରୀଙ୍କ ୪ ଦଫା ସମସ୍ୟାର ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ଅଫିସ, ୧୯ା୯: ୪ ଦଫା ଦାବି ନେଇ ଏନ୍‌ଜେନ୍‌ କର୍ମଚାରୀ ତଥା ଇଲେକ୍‌ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ବୁଧବାର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଜିଲା ସଭାପତି ଦେବଦାସ ମହାନ୍ତି କୁହନ୍ତି, କେନ୍ଦ୍ରାପଡା ଜିଲାରେ ବିଦ୍ୟୁତ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏନ୍‌ଜେନ୍‌ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ଅଧୀନରେ ୮୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୧୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଏହି ଶ୍ରମିକମାନେ ମିଟର ରିଡିଂ କରିବା ସହ ବିଲ କଲେକସନ୍‌ ଦାୟିତ୍ୱରେ ରହିଛନ୍ତି। ଏବେ ରାଜ୍ୟ ସରକାର ଏହି ଦାୟିତ୍ୱ ଏସଏସଜିଙ୍କୁ ଦେବା ପାଇଁ ସ୍ଥିର କରିଛନ୍ତି, ଯାହା ଏହି ଶ୍ରମିକଙ୍କ ଆର୍ଥିକ ଦୁର୍ଗତିର କାରଣ ହେବ । ସେହିପରି ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ, ଶ୍ରମିକଙ୍କୁ ଇପିଏଫ, ଇଏସଆଇରେ ସାମିଲ କରିବା, ସରକାରୀ ନିଯୁକ୍ତି ଅନୁଯାୟୀ ଉପଯୁକ୍ତ ବ୍ୟବହାର ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି ବୋଲି ସଭାପତି ମହାନ୍ତି କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ପୂର୍ବରୁ ସଂଘର ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସହରର ତିନି ମୁହାଣି ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାଇକ୍‌ ରାଲି କରିଥିଲେ । ସଂଘର କାର୍ଯ୍ୟକର୍ତ୍ତା ଦଇତାରି ସେଠୀ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଶିଶିର କୁମାର ନାୟକ, ପ୍ରସନ୍ନ କୁମାର ନାୟକ ଓ ଦେବାଶିଷ ନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।

Share