Categories: ଜାତୀୟ

ଏନ୍‌ଡିଏ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବ

ନୂଆଦିଲ୍ଲୀ,୮ା୬(ପି.ଟି.): କରୋନା ଯୋଗୁ ଦେଶ ଲକ୍‌ଡାଉନରେ ରହିଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ରବିବାର ବିଗୁଲ ବାଜିଛି। ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଭିଡିଓ କନ୍‌ଫରେନ୍ସ ଜରିଆରେ (ଭର୍ଚୁଆଲ) ପାଟନାର ଏକ ରାଲିକୁ ସମ୍ବୋଧନ କରି ଏନ୍‌ଡିଏ ସରକାର ଅମଳରେ ବିହାର ଜଙ୍ଗଲ ରାଜ୍‌ରୁ ମୁକ୍ତ ହୋଇ ଜନତା ରାଜ୍‌ରେ ପରିଣତ ହୋଇଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ମେଣ୍ଟ ଆଗାମୀ ନିର୍ବାଚନରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଦଳୀୟ କର୍ମୀ ଓ ବିହାର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଶାହା ବିରୋଧୀ ଆର୍‌ଜେଡି ଉପରେ ଜୋର୍‌ଦାର ବର୍ଷିଥିଲେ। ଆର୍‌ଜେଡି କ୍ଷମତାରେ ଥିବାବେଳେ ରାଜ୍ୟର ଆଥିର୍ତ୍କ ଅଭିବୃଦ୍ଧି ୩.୯ ପ୍ରତିଶତ ଥିବାବେଳେ ଏନ୍‌ଡିଏ ସରକାରରେ ଏହା ୧୧.୩%କୁ ବୃଦ୍ଧି ପାଇଥିବା ଶାହା କହିଥିଲେ। ଲଣ୍ଠନ ରାଜ୍‌ରୁ ରାଜ୍ୟ ଏଲ୍‌ଇଡି ରାଜ୍‌କୁ ଉନ୍ନୀତ ହୋଇଛି ବୋଲି ଆର୍‌ଜେଡି ଦଳୀୟ ଚିହ୍ନକୁ ଆକ୍ଷେପ କରିଥିଲେ ଶାହା।

Share