Categories: ଜାତୀୟ

ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ମଞ୍ଜୁରୀ ଦେଇଛି। ଏହାସହ ଆରମ୍ଭ ହୋଇଛି ଏନ୍‌ପିଆର୍‌ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଅର୍‌ସି) ଦ୍ୱନ୍ଦ୍ୱ। ଏହି ଦୁଇ ପ୍ରସଙ୍ଗକୁ ଅନେକେ ବୁଝିପାରି ନ ଥିବାବେଳେ କେତେକ ରାଜନୈତିକ ଦଳ ଏନ୍‌ପିଆରକୁ ଏନ୍‌ଆର୍‌ସି ପାଇଁ କେନ୍ଦ୍ରର ପ୍ରଥମ ପଦକ୍ଷେପ ବୋଲି କହୁଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ଏନ୍‌ପିଆର୍‌ରେ ସଂଗୃହୀତ ତଥ୍ୟକୁ ନେଇ ଏନ୍‌ଆର୍‌ସି ପ୍ରସ୍ତୁତ କରାଯିବ ନାହିଁ। ଏନ୍‌ପିଆର୍‌ ପ୍ରସ୍ତୁତି ବେଳେ ଏନ୍‌ଆର୍‌ସିକୁ ଦେଶବ୍ୟାପୀ ଲାଗୁ କରିବା ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନବପ୍ରଣୀତ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ନାନା ମତମନ୍ତବ୍ୟ ଆସିବାରେ ଲାଗିଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଥିଲେ, ଏନ୍‌ଆର୍‌ସିକୁ ନେଇ ସରକାର କିଛି ଚିନ୍ତା କରିନାହାନ୍ତି। ଆମ ସରକାର ୨୦୧୪ରେ କ୍ଷମତାକୁ ଆସିଥିଲା। ମୁଁ ୧୩୦ କୋଟି ଭାରତୀୟଙ୍କୁ କହିବାକୁ ଚାହେଁ ଯେ, ଏନ୍‌ଆର୍‌ସିକୁ ନେଇ ଆମେ କିଛି ଆଲୋଚନା କରିନାହୁଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଆସାମରେ ଏନ୍‌ଆର୍‌ସି ଲାଗୁ କରାଯାଇଛି। ମଙ୍ଗଳବାର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଏନ୍‌ପିଆର୍‌ ଅପ୍‌ଡେଟ୍‌ ପାଇଁ ୩,୯୪୧.୩୫ କୋଟି ଏବଂ ଭାରତରେ ଜନଗଣନା ୨୦୨୧ ଲାଗି ୮,୭୫୪.୨୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନ୍‌ପିଆର୍‌କୁ ପ୍ରତି ୧୦ ବର୍ଷରେ ଥରେ ଅପ୍‌ଡେଟ୍‌ କରାଯିବ। ଏଥିରେ ଲକ୍ଷ ଲକ୍ଷ ଗଣନାକାରୀ ନିୟୋଜିତ ହେବେ। ସେମାନେ ଘର ଘର ଯାଇ ସର୍ଭେ କରିବେ। ଏହି ପ୍ରକ୍ରିୟା ପାଇଁ ଏକ ଆପ୍‌ ମଧ୍ୟ ଅଣାଯିବ। ମିଳିଥିବା ସୂଚନାନୁସାରେ ପ୍ରାୟ ୪୮,୦୦୦ ଲୋକ ଏନ୍‌ପିଆର୍‌ରେ ନିୟୋଜିତ ହେବେ। ସେମାନେ ୨,୯୦୦ ଦିନ ଧରି ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିବେ। ଅନ୍ୟ ଭାଷାରେ ୨.୪ କୋଟି ଶ୍ରମ ଦିବସ ଏଥିରୁ ସୃଷ୍ଟି ହେବ। ଭାରତରେ ୧୮୭୨ରୁ ଲଗାତର ଜନଗଣନା ହୋଇଆସୁଛି। ୨୦୨୧ ଜନଗଣନା ଦେଶର ୧୬ତମ ଓ ସ୍ବାଧୀନତା ପରେ ଅଷ୍ଟମ ଜନଗଣନା ହେବ। ଜନଗଣନା ଆଇନ, ୧୯୪୮ ଏବଂ ଜନଗଣନା ନିୟମ ୧୯୯୦ରେ ଜନଗଣନା ପ୍ରକ୍ରିୟାର ସମସ୍ତ ବିଧି ଉଲ୍ଲେଖ କରାଯାଇଛି।

Share