Categories: ଜାତୀୟ

ଏନ୍‌ପିଆର୍‌-ଏନ୍‌ଆର୍‌ସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୨୫ା୧୨ (ପି.ଟି./ଆଇଏଏନ୍‌ଏସ୍‌): ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ମଧ୍ୟରେ କିଛି ସମ୍ପର୍କ ନାହିଁ। ତେଣୁ ଏନପିଆର୍‌କୁ ନେଇ ରାଜ୍ୟ ସରକାରଗୁଡ଼ିକ ରାଜନୀତି କରନ୍ତୁ ନାହିଁ ବୋଲି ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶା ଉଦାହରଣ ମଧ୍ୟ ଦେଇଛନ୍ତି।
ଜାତୀୟ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଶାହା କହିଛନ୍ତି, ଏନ୍‌ପିଆର୍‌ ଜରିଆରେ ସଂଗୃହୀତ ତଥ୍ୟକୁ ଏନ୍‌ଆର୍‌ସିରେ ବ୍ୟବହାର କରାଯାଇ ପାରିବ ନାହିଁ। କେନ୍ଦ୍ର କ୍ୟାବିନେଟ ଏନ୍‌ଆର୍‌ସି ସମ୍ପର୍କରେ ଆଲୋଚନା କରିନାହିଁ। କେନ୍ଦ୍ର କ୍ୟାବିନେଟ ୨୦୨୧ ଜନଗଣନା ଏବଂ ଏନ୍‌ପିଆର୍‌ ଅପ୍‌ଡେଟ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ଶାହାଙ୍କ ଏହି ମନ୍ତବ୍ୟ ଆସିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି, ଜନଗଣନା ପ୍ରତି ୧୦ ବର୍ଷରେ କରାଯାଉଥିବାବେଳେ ଏନ୍‌ପିଆର୍‌ ଉପା ସରକାର ଅମଳରେ ଆରମ୍ଭ ହୋଇଥିଲା। ଏହାକୁ ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆଗକୁ ନେଉଛନ୍ତି। ଏନ୍‌ପିଆର୍‌ ଜନସଂଖ୍ୟା ରେଜିଷ୍ଟର ହୋଇଥିବାବେଳେ ଏନ୍‌ଆର୍‌ସି ହେଉଛି ନାଗରିକଙ୍କ ରେଜିଷ୍ଟର। ଏହି ଦୁଇ ପଞ୍ଜିକା ଭିନ୍ନ ଭିନ୍ନ ପ୍ରକ୍ରିୟାରେ ପ୍ରସ୍ତୁତ କରାଯିବ। ଦୁଇ ରେଜିଷ୍ଟର ମଧ୍ୟରେ କିଛି ସମ୍ପର୍କ ନାହିଁ। ଭାରତରେ ରହୁଥିବା ଲୋକଙ୍କ ନାମ ଏନ୍‌ପିଆର୍‌ରେ ରହିବ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପଶ୍ଚିମବଙ୍ଗ ଓ କେରଳ ଏନ୍‌ପିଆର୍‌ ପ୍ରକ୍ରିୟା ବନ୍ଦ କରିବା ନେଇ ଶାହା କହିଛନ୍ତି, ନାଗରିକମାନଙ୍କ ସୁବିଧା ଏବଂ ଜନମଙ୍ଗଳକାରୀ ଯୋଜନା ଓ ସ୍କିମ୍‌ଗୁଡ଼ିକୁ ଉନ୍ନତ କରିବା ପାଇଁ ଏହା ହାତକୁ ନିଆଯାଇଛି। ଏହାକୁ ନେଇ ରାଜନୀତି କରା ନ ଯାଉ। ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟଗୁଡ଼ିକର ଲୋକ ବସବାସ କରୁଛନ୍ତି। ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ସେମାନଙ୍କ ବିଷୟରେ ଜାଣିଲେ ସିନା କିଛି କରିହେବ ବୋଲି ଶାହା କହିଛନ୍ତି।

Share