ଏନ୍‌ପିଆର ପାଇଁ ରାଜ୍ୟର ପ୍ରସ୍ତୁତି

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିଥିଲେ।  ହେଲେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରିଥିଲେ। ଏହାକୁ ଓଡ଼ିଶାରେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ତଳେ ସ୍ପଷ୍ଟ କରିଥିଲେ। ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ସିଏଏ କିମ୍ବା ଏନ୍‌ଆରସିକୁ ନେଇ ବଡଧରଣର ଆନ୍ଦୋଳନ ହୋଇନାହିଁ। ହେଲେ ବହୁ ଅଞ୍ଚଳ ସମେତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନ, ସଂସ୍ଥା ଏବଂ ରାଜନୈତିକ ଦଳ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିସାରିଛନ୍ତି। ଅନ୍ୟପକ୍ଷେ ଦେଶବ୍ୟାପୀ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର) କାର୍ଯ୍ୟକାରୀ କରାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ରାଜ୍ୟ ପ୍ରଶାସନ ମଧ୍ୟ ଏନେଇ ଅଣ୍ଟା ଭିଡୁଥିବା ଜଣାପଡିଛି।
ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କୁହନ୍ତି ଯେ, ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏନ୍‌ପିଆର ଲାଗୁ କରିବେ। ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆସନ୍ତା ଏପ୍ରିଲ ୧୬ରୁ ମେ ୧୬ ମଧ୍ୟରେ ଗୃହ ଲିଷ୍ଟିଂ(ତାଲିକାକରଣ) କରାଯିବ। ଏହା ପରେ ତଥ୍ୟ ସଂଗ୍ରହ କରାଯାଇ ଏନ୍‌ପିଆର ପରିସଂଖ୍ୟାନ କରାଯିବ। ଏଥିପାଇଁ ଆବଶ୍ୟକ ପାଇଲଟ୍‌ କାର୍ଯ୍ୟାବଳୀ ସମାପ୍ତ ହୋଇଥିବା ଜଣାପଡିଛି। ସରକାର ଏନ୍‌ପିଆର ପଦ୍ଧତି ଦ୍ୱାରା ଆଧାର ନମ୍ବର, ଡ୍ରାଇଭିଂ ଲାଇସେନ୍ସ ନମ୍ବର ଏବଂ ପାନ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡିଛି। ଆସନ୍ତା ୨୦୨୧ ଫେବୃୟାରୀ ୯ରୁ ୨୮ ମଧ୍ୟରେ ଦେଶର ଜନଗଣନା ହେବାକୁ ଯାଉଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ,ସାରା ଭାରତକୁ ଭାଗଭାଗ କରିବା ପାଇଁ ଏକ ପରିବେଶ ସୃଷ୍ଟି କରାଯାଉଛି। ଦେଶରେ ଗୃହଯୁଦ୍ଧ ସହ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରାଯାଉଛି। ଏହା ଦ୍ୱାରା ସାଧାରଣ ମଣିଷର କିଛି ଉପକାର ହେବ ନାହିଁ ବୋଲି ଶରତ କହିଛନ୍ତି। ଅପରପକ୍ଷରେ ବିଜେଡି ଏହାକୁ ଖଣ୍ଡନ କରିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଏନ୍‌ପିଆର-ସିଏଏ-ଏନ୍‌ଆରସି ମଧ୍ୟରେ କୌଣସି ସମ୍ପର୍କ ନାହିଁ। କେତେକ ରାଜନେତା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ ଏହି ପ୍ରକ୍ରିୟା ଦ୍ୱାରା ଏନ୍‌ପିଆର ସଦ୍ୟ ତଥ୍ୟାବଳୀକୁ ନେଇ ତାଲିକା ନବୀକରଣ ହେବ।

Share