Categories: ବାଣିଜ୍ୟ

ଏନ୍‌ବିଏଫ୍‌ସିକୁ ମିଳିବ ୩୦ ହଜାର କୋଟି

ନୂଆଦିଲ୍ଲୀ,୧୪।୫: ଦେଶର ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସଂସ୍ଥାଗୁଡିକୁ ନଗଦ ସହାୟତା ପ୍ରଦାନ ଲାଗି ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି। ଏନ୍‌ବିଏଫ୍‌ସି, ହାଉସିଂ ଫାଇନାନ୍ସ କମ୍ପାନୀ, ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଲାଗି ପୁନଶ୍ଚ କ୍ରେଡିଟ ଗ୍ୟାରେଣ୍ଟି ଭାବେ ସରକାର ୪୫ ହଜାର କୋଟି ଟଙ୍କା ଯୋଗାଇଦେବେ। ଏହି ସହାୟତା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ଏବଂ ବ୍ୟକ୍ତିବିଶେଷଙ୍କୁ ଋଣ ଯୋଗାଇଦେବା ଲାଗି ସୁବିଧା ହେବ। ଏନ୍‌ବିଏଫ୍‌ସିଗୁଡିକୁ ସରକାର ପ୍ରତିଭୂତି ଗ୍ୟାରେଣ୍ଟି ପ୍ରଦାନ କରିବେ। ବଜାରର ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ସରକାର ମ୍ୟୁଚୁଆଲ ଫଣ୍ଡ ଏବଂ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନଗୁଡିକୁ ସହାୟତା ଯୋଗାଇ ଦେବେ ବୋଲି ସୀତାରାମନ କହିଛନ୍ତି। ଏହି ଅନୁଷ୍ଠାନଗୁଡିକ ଡେଟ୍‌ ମାର୍କେଟରୁ ଅର୍ଥ ଉଠାଣ ବେଳେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ନିର୍ମଳା କହିଛନ୍ତି।

Share