Categories: ବାଣିଜ୍ୟ

ଏନ୍‌ବିଏଫ୍‌ସିଙ୍କୁ ବଞ୍ଚାଇବାକୁ ଆର୍‌ବିଆଇର ପ୍ରୟାସ

ମୁମ୍ବାଇ,୨୬।୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି)ଙ୍କୁ ନଗଦ ସଙ୍କଟରୁ ରକ୍ଷା କରିବା ଲାଗି ଏକ ରିସ୍କ ମ୍ୟାନେଜମେଣ୍ଟ ଡ୍ରାଫ୍‌ଟ ଜାରି କରିଛି। ଏନ୍‌ବିଏଫ୍‌ସି କମ୍ପାନୀଗୁଡ଼ିକ ସମ୍ଭାବ୍ୟ ବିପଦରୁ ମୁକ୍ତ ରହିବା ଲାଗି ସରକାରୀ ବଣ୍ଡ ଅଥବା ଜମା ଯୋଜନାରେ ନିବେଶ କରିବା ଲାଗି ଆର୍‌ବିଆଇ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ସଙ୍କଟ ସମୟରେ ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ରହିବ। ଭାରି ନଗଦ ସଙ୍କଟ ଦେଇ ଗତି କରୁଥିବା ଏନ୍‌ବିଏଫ୍‌ସି କମ୍ପାନୀଗୁଡ଼ିକ ଏବେ ଅର୍ଥ ଯୋଗାଡ କରି ନ ପାରି ଅସୁବିଧାରେ ପଡିଯାଇଛନ୍ତି। ସେମାନଙ୍କ ଅଫିସ୍‌ରେ ଏବେ ତାଲା ଝୁଲିବାର ସମୟ ଆସିଯାଇଛି। ଆର୍‌ବିଆଇ ପ୍ରସ୍ତାବରେ କୁହାଯାଇଛି ଯେ, ୫ ହଜାର କୋଟି ଟଙ୍କା ଅଥବା ଏହାଠାରୁ ଅଧିକ ପରିସମ୍ପତ୍ତି ଜମା ରାଶି ସ୍ବୀକାର କରୁଥିବା ସମସ୍ତ ଏନ୍‌ବିଏଫ୍‌ସି ଏବଂ ଏଭଳି ଆର୍ଥିକ ସଂସ୍ଥା ଯିଏ କି ଜମା ସ୍ବୀକାର କରନ୍ତି ନାହିଁ ସେମାନଙ୍କ ଲାଗି ତରଳତା ପରିମାଣ ଅନୁପାତ(ଏଲ୍‌ସିଆର୍‌) ବ୍ୟବସ୍ଥା ଲାଗୁ କରାଯିବ। ଏହା ପର୍ଯ୍ୟାୟକ୍ରମେ ଲାଗୁ ହେବ। ୨୦୨୦ ଏପ୍ରିଲରୁ ୨୦୨୪ ଏପ୍ରିଲ ମଧ୍ୟରେ ଏହି ବ୍ୟବସ୍ଥାର କ୍ରିୟାନ୍ବୟନ କରାଯିବ।

Share