Categories: ବାଣିଜ୍ୟ

ଏନ୍‌ବିଏଫ୍‌ସି ସେକ୍ଟରରେ ବଢ଼ିବ ସଙ୍କଟ

ନୂଆଦିଲ୍ଲୀ,୧୩।୫: ଦେଶର  ଅଣ-ବ୍ୟାଙ୍କିଙ୍ଗ୍‌ କମ୍ପାନୀ କ୍ଷେତ୍ର (ଏନ୍‌ବିଏଫ୍‌ସି) ସଙ୍କଟର ଦ୍ୱାରଦେଶରେ ଛିଡ଼ା ହୋଇଛି। କେତେକ ବଡ଼ କମ୍ପାନୀ ଦ୍ୱାରା ହୋଇଥିବା ବିତ୍ତୀୟ ଅନୀୟମିତତା  ଏବଂ ଋଣ ପ୍ରଦାନ ପାଇଁ ଅର୍ଥର ଅଭାବ ଯୋଗୁ ଉକ୍ତ କ୍ଷେତ୍ର ଧ୍ୱସ୍ତ ହେବାକୁ ଯାଉଛି ବୋଲି କେନ୍ଦ୍ର ସରକାର ଚେତାଇଛନ୍ତି। ସୂଚନାଥାଉ କି, ନିକଟ ଅତୀତରେ ବିଭିନ୍ନ କାରବାର ସହ ଜଡ଼ିତ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରୁପ୍‌ରେ ଦେଖାଦେଇଥିବା ସଙ୍କଟ ଯୋଗୁ କେତେକ ବଡ଼ କମ୍ପାନୀ ଋଣ ଫେରସ୍ତ କରିବାରେ ବିଫଳ ହୋଇଛନ୍ତି। ଫଳରେ ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ବେଶ୍‌ ପ୍ରଭାବ ପଡ଼ିଛି ଏବଂ ସମସ୍ୟା ସୃଷ୍ଟି ହୋଇଛି। ମିଡିଆ ସହ ଆଲୋଚନା କାଳରେ କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ, ଏନ୍‌ବିଏଫ୍‌ସି ସେକ୍ଟର ଋଣ ପାଉ ନଥିବା ବେଳେ ଅଧିକ ଋଣ ପ୍ରଦାନ ଯୋଗୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା କେତେକ ବଡ଼ କମ୍ପାନୀଙ୍କ ଭୁଲ୍‌ ନିଷ୍ପତ୍ତିର ମୂଲ୍ୟ ସେମାନଙ୍କୁ ଦେବାକୁ ପଡ଼ୁଛି। ସେ କହିଛନ୍ତି ଯେ, ଏନ୍‌ବିଏଫ୍‌ସି ସେକ୍ଟରରେ ସଙ୍କଟ ଆସୁଛି। ତେବେ ସେ ଆଶ୍ୱସ୍ତ କରି କହିଛନ୍ତି ଯେ, ଯେଉଁ କମ୍ପାନୀଗୁଡ଼ିକ ଏହି ସମସ୍ୟା ପାଇଁ ଦାୟୀ, ସେମାନେ ଏହି ବିପଦକୁ ଠିକ୍‌ ଢଙ୍ଗରେ ପରିଚାଳନା କରୁଛନ୍ତି। ଫଳରେ ବିପଦ ବୃଦ୍ଧି  ପାଇବାର ସମ୍ଭାବନା ଅନେକାଂଶରେ କମିଛି।

Share