Categories: ଖେଳ

ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ଲାଗି ପିଟିଶନ

କାଲିଫର୍ନିଆ,୨୮।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ରବିବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏହି ଖବରରେ ମର୍ମାହତ ପ୍ରଶଂସକମାନେ ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହାକୁ ଏକ ନିୟୁତରୁ ଅଧିକ ଫ୍ୟାନ ସମର୍ଥନ କରିଛନ୍ତି। ବର୍ତ୍ତମାନ ଥିବା ଲୋଗୋକୁ ଆଲାନ ସିଏଗେଲ ପ୍ରସ୍ତୁତ କରିଥିଲେ। ଲୋଗୋରେ ଲସଏଞ୍ଜେଲ୍ସ ଲେକର୍ସର କିମ୍ବଦନ୍ତୀ ଖେଳାଳି ଜେରି ଓ୍ବଷ୍ଟ (୮୧) ରହିଛନ୍ତି। ତେବେ ଏହି ଅଭିଯାନକୁ ନିକି ଏମ୍‌. ଆରମ୍ଭ କରିଛନ୍ତି। କିମ୍ବଦନ୍ତୀ ବ୍ରାଏଣ୍ଟଙ୍କ ମୃତ୍ୟୁ ପରେ ତାଙ୍କୁ ଏନ୍‌ବିଏ ଲୋଗୋରେ ସାମିଲ କରି ଚିରଦିନ ପାଇଁ ଅମର କରିବାକୁ ଅନୁରୋଧ କରିଥିଲେ। ଏହାପରେ ସମର୍ଥକମାନେ ନିଜ ଆଡ଼ୁ ବ୍ରାଏଣ୍ଟଙ୍କୁ ଲୋଗୋରେ ସାମିଲ କରି ଫଟୋ ଶେୟାର କରିଛନ୍ତି। ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ (ଏନ୍‌ବିଏ)ର ଲୋଗୋ ପ୍ରଥମେ ୧୯୭୧ରେ ପ୍ରସ୍ତୁତ ହୋଇଥିଲା। ତେବେ ଏନ୍‌ବିଏ ଆୟୋଜକମାନେ ଲୋଗୋରେ ପରିବର୍ତ୍ତନ କରିବେ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏକଦା ଲା ଲେକର୍ସ ଦଳର ଜେନେରାଲ ମ୍ୟାନେଜର ପଦରେ ଥିବା ଓ୍ବେଷ୍ଟ ମଧ୍ୟ କିଛି ମନ୍ତବ୍ୟ ଦେଇନାହାନ୍ତି।

Share